ଦୁର୍ଗାପୁର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ତା’ ର ବଡ଼ ଭଉଣୀ ପୋଲିସକୁ ନେଇ ଧରାଇଦେଲା । ପୋଲ ତଳୁ ଧରି ତାକୁ ଥାନାକୁ ନେଇଥିଲା ପୋଲିସ୍ । ସମସ୍ତ ପାଞ୍ଚ ଅଭିଯୁକ୍ତ ଏବେ ପୋଲିସ ହେପାଜତରେ ଅଛନ୍ତି । ସେମାନଙ୍କୁ ନେଇ ପୋଲିସ ସିନ୍ ରିକ୍ରିଏସନ କରିବାର ଯୋଜନା କରିଛି ।
Gangrape Photograph: (OTV)
ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ବେସରକାରୀ ମେଡିକାଲ୍ କଲେଜର ଦ୍ୱିତୀୟ ବର୍ଷର ଜଣେ ଓଡ଼ିଆ ମେଡିକାଲ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମକୁ ଭ୍ରମାତ୍ମକ ତଥ୍ୟ ଓ ଟିପ୍ପଣୀ ଦେଇ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଠିକ୍ ଏହି ସମୟରେ ମୁଖ୍ୟ ଅଭିଯୁକ୍ତର ବଡ଼ ଭଉଣୀ ମହାନତାର ପରିଚୟ ଦେଇଛନ୍ତି । ନିଜ ଭାଇ ଅପରାଧରେ ସଂପୃକ୍ତ ବୋଲି ଜାଣିବା ପରେ ସେ ନିଜେ ଭାଇକୁ ପୋଲିସ ହାତରେ ଧରାଇ ଦେଇଛି ।
ପୋଲିସ ସହ ଯାଇଥିଲେ ଅଭିଯୁକ୍ତର ଭଉଣୀ
ପୋଲିସ କହିଛି ଯେ ଅଭିଯୁକ୍ତ ସଫିକ ଏସ୍କେର ଭଉଣୀ ରୋଜିନା ଏସ୍କେ ସୋମବାର ଦିନ ପୋଲିସ ଟିମକୁ ଦୁର୍ଗାପୁର ଅଣ୍ଡାଲ ବ୍ରିଜ ପାଖକୁ ନେଇଯାଥିଲେ । ସେହିଠାରେ ତାଙ୍କ ଭାଇ ସଫିକ ପୋଲ ତଳେ ଲୁଚିଥିଲା । ପୋଲିସକୁ ଖୋଜିବାରେ ସାହାଯ୍ୟ କରିଥିଲେ ରୋଜିନା । ରୋଜିନା କହିଛନ୍ତି ଯେ, ମୁଁ ଚାହୁଁଥିଲି ସେ ଆଇନ ସମ୍ମୁଖୀନ ହେଉ। ଆମ ପରିବାର ତା ପାଇଁ ଏହି ଗଣଦୁଷ୍କର୍ମ ଘଟଣାରେ ଲଜ୍ଜିତ ହେଉଛି ।
ପୋଲିସକୁ ଦେଖି ସଫିକ ଭୟରେ ଥରିଯାଇଥିଲା ବୋଲି ରହିଛନ୍ତି ରୋଜିନା । ଅନ୍ୟତମ ଅଭିଯୁକ୍ତ ଏସ୍କେ ନାସିରୁଦ୍ଦିନକୁ ମଧ୍ୟ ଗିରଫ କରାଯାଇଥିଲା । ନାସିରୁଦ୍ଦିନର ବାଇକ୍ ଦ୍ୱାରା ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ । ଏହି ଗିରଫ ପାଞ୍ଚ ଅଭିଯୁକ୍ତ ଏବେ ପୋଲିସ କଷ୍ଟୋଡିରେ ଅଛନ୍ତି। ଅନ୍ୟ ତିନିଜଣ ରିଆଜୁଦ୍ଦିନ, ଅପୁ ବରୁଇ ଓ ଫିରଦୌସ ଏସ୍କେ ରିମାଣ୍ଡରେ ଆସିଛନ୍ତି । ରିଆଜୁଦ୍ଦିନ ପୂର୍ବରୁ ସେହି କଲେଜରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା । କିଛି ବର୍ଷ ତଳେ ତାକୁ ଚାକିରିରୁ ବାହାର କରିଦିଆଯାଇଥିଲା ।
ଦୁର୍ଗାପୁର ବାର ଆସୋସିଏସନ୍ ଘୋଷଣା କରିଛି ଯେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଅଭିଯୁକ୍ତଙ୍କ ପକ୍ଷରେ ମାମଲା ଲଢ଼ିବେ ନାହିଁ। ଲିଗାଲ ଏଡ୍ ଓକିଲ ପୂଜା କୁର୍ମି ସଫିକ ଓ ନସିରୁଦ୍ଦିନ ପାଇଁ ଓକିଲାତିନାମା ଦାଖଲ କରିଛନ୍ତି । କିନ୍ତୁ ଜାମିନ ପାଇଁ ଆବେଦନ କରିନାହାନ୍ତି।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ମେଡିକାଲ୍ କଲେଜ ଗେଟ୍ ପାଖରେ ଥିବା ପରାନଗଞ୍ଜ କାଳୀ ବାରୀ ଶ୍ମଶାନ ଘାଟି ପାଖକୁ ନିଆଯିବ । ଏହା ପରେ ଏହାକୁ ରିକନଷ୍ଟ୍ରକ କରାଯିବ ।
ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ସେମାନଙ୍କ ଘରକୁ ନିଆଯାଇ ସେମାନେ ଲୁଚାଇ ରଖିଥିବା କିଛି ଜିନିଷ ଉଦ୍ଧାର କରାଯାଇଥିଲା ଏବଂ ସମସ୍ତ ପାଞ୍ଚଜଣଙ୍କୁ ମେଡିକାଲ୍ ଟେଷ୍ଟ ପାଇଁ ନିଆଯିବ। ପୋଲିସ ଡିଏନଏ ପ୍ରୋଫାଇଲିଂ ପାଇଁ ଅଦାଲତର ଅନୁମତି ନେବାକୁ ମଧ୍ୟ ପିଲ୍ କରିବ । ପୀଡିତା ସୁସ୍ଥ ହେଲେ ଟେଷ୍ଟ ଆଇଡେଣ୍ଟିଫିକେସନ୍ (TI) ପରେଡ କରାଯିବ ବୋଲି ସେ କହିଛନ୍ତି ।
ଅପରାଧର ପୃଷ୍ଠଭୂମି
ବାଲେଶ୍ୱର ଜିଲ୍ଲାର ଜଣେ ୨୩ ବର୍ଷୀୟା ମେଡିକାଲ୍ ଛାତ୍ରୀ ଗତ ଶୁକ୍ରବାର ସନ୍ଧ୍ୟା ୮ରୁ ୮.୪୫ ମଧ୍ୟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସ ବାହାରକୁ ଭୋଜନ ପାଇଁ ବାହାରିଥିଲେ । ସେହି ସମୟରେ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ପାଞ୍ଚଜଣ ଅଭିଯୁକ୍ତ ସେମାନଙ୍କୁ ଶ୍ମଶାନ ଘାଟି ପାଖରେ ଆକ୍ରମଣ କରିଥିଲେ । ଝିଅଟି ସହାୟତା ପାଇଁ ଫୋନ କରିବାକୁ ଚେଷ୍ଟା କଲାବେଳେ ତାଙ୍କ ଫୋନ ଦୁର୍ବୃତ୍ତମାନେ ଛଡାଇ ନେଇଯାଇଥିଲେ । ଏହା ପରେ ଗଣଦୁଷ୍କର୍ମ କରିଥିଲେ । ସେହି ସମୟରେ ପୁରୁଷ ବନ୍ଧୁ ପଳାଇଯାଇଥିଲେ । ପୋଲିସ ମଧ୍ୟ ଏହି ପୁରୁଷ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରୁଛି ।
ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ କଲେଜର ପୂର୍ବତନ ସିକ୍ୟୁରିଟି ଗାର୍ଡ, ଅନ୍ୟ ଜଣେ ହସ୍ପିଟାଲର କର୍ମଚାରୀ, ଜଣେ ନଗର ନିଗମର ଠିକା ଶ୍ରମିକ ଏବଂ ଜଣେ ବେକାର ଯୁବକ।