Nirbhaya-Style Trial for Gopalpur Outrage: ‘ନିର୍ଭୟା’ ଭଳି ଚାଲିବ ଗୋପାଳପୁର ଲଜ୍ଜାର ବିଚାର ପ୍ରକ୍ରିୟା, ୩ ନାବାଳକଙ୍କୁ ସାବାଳକ ଭାବେ ଗ୍ରହଣ କଲେ କୋର୍ଟ

2 weeks ago 1
.

୩ ଜଣଙ୍କ ବିରୋଧରେ ସାବାଳକ ଭାବେ ବିଚାର କରିବେ ବ୍ରହ୍ମପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ-୨ ତଥା ଡେଜିଗନେଟେଡ୍ ଚିଲଡ୍ରେନ କୋର୍ଟ। ଦୋଷୀ ସାବ୍ୟସ୍ତ ହେଲେ ସେହି ଅନୁସାରେ ଦଣ୍ଡବିଧାନ ବି କରିବେ। ଏଥିପାଇଁ ବିଚାର ପ୍ରକ୍ରିୟା ବି ଆରମ୍ଭ ହୋଇଛି।

author-image

Trial Court

Trial Court Photograph: (OTV)

ବହୁଚର୍ଚ୍ଚିତ ଗୋପାଳପୁର ଲଜ୍ଜାର ବିଚାର ପ୍ରକ୍ରିୟାରେ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ବିଚାର ଫଣ୍ଡା। ୪ ନାବାଳକ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ସାବାଳକ ଭାବେ ଗ୍ରହଣ କରି ବିଚାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବ୍ରହ୍ମପୁର ଏଡିଜେ-୨ ତଥା ଡେଜିଗନେଟେଡ୍ ଚିଲଡ୍ରେନ୍ କୋର୍ଟ। କାରଣ ଗୋପାଳପୁର କାଣ୍ଡ ବି ଥିଲା ଅତି ସମ୍ବେଦନଶୀଳ ଓ ଜଘନ୍ୟ। 

ଯେଉଁଥିରେ ୩ ନାବାଳକ ଅଭିଯୁକ୍ତ ୧୮ ବର୍ଷରୁ କମ୍। ଏହି ଜଘନ୍ୟ ମାମଲାର ତ୍ବରିତ ବିଚାର ପାଇଁ କ୍ରାଇମବ୍ରାଞ୍ଚ ବି ୪୫ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଛି। ସେହି ଅନୁସାରେ ସାକ୍ଷ୍ୟ ଗ୍ରହଣ ଚାଲିଥିବାବେଳେ ଏହି ୩ ଜଣଙ୍କ ବିରୋଧରେ ସାବାଳକଙ୍କ ଭଳି ଦଣ୍ଡବିଧାନ ହୋଇପାରେ ବୋଲି ଆଇନଜୀବୀଙ୍କ ମତ।

ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍ମର୍ମ ମାମଲା ଢାଞ୍ଚାରେ ହେବ ଗୋପାଳପୁର ଲଜ୍ଜାର ବିଚାର ପ୍ରକ୍ରିୟା। ଅପରାଧର ସମ୍ବେଦନଶୀଳତା ଏବଂ ସ୍ପର୍ଶକାତରତାକୁ ଦେଖି ୪ ନାବାଳକଙ୍କ ମଧ୍ୟରୁ ୩ ଜଣଙ୍କୁ ସାବାଳକ ଭାବେ ହୋଇପାରେ ଦଣ୍ଡବିଧାନ। କାରଣ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ବୟସ ୧୮ରୁ କମ୍ ଏବଂ ଜଣଙ୍କ ବୟସ ୧୬ରୁ କମ୍। 

କିନ୍ତୁ ଲୋମଟାଙ୍କୁରା ଅପରାଧ ଭିଆଇଥିବାରୁ ନିୟମ ଅନୁଯାୟୀ, ୩ ଜଣଙ୍କ ବିରୋଧରେ ସାବାଳକ ଭାବେ ବିଚାର କରିବେ ବ୍ରହ୍ମପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ-୨ ତଥା ଡେଜିଗନେଟେଡ୍ ଚିଲଡ୍ରେନ କୋର୍ଟ। ଦୋଷୀ ସାବ୍ୟସ୍ତ ହେଲେ ସେହି ଅନୁସାରେ ଦଣ୍ଡବିଧାନ ବି କରିବେ। ଏଥିପାଇଁ ବିଚାର ପ୍ରକ୍ରିୟା ବି ଆରମ୍ଭ ହୋଇଛି। ଏଯାଏଁ ମାମଲାରେ ସାକ୍ଷୀ ଭାବେ ୨ ଜଣ ହୋମଗାର୍ଡଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। 

୨୦୨୫, ଜୁନ୍ ୧୪। ସ୍ଥାନ ଗୋପାଳପୁର ବେଳାଭୂମି। କଲେଜର ସହପାଠୀ ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ଯାଇଥିବାବେଳେ ୧୦ ଦୁର୍ବୃତ୍ତ କରିଥିଲେ ଗଣଦୁଷ୍କର୍ମ। ପୁରୁଷ ବନ୍ଧୁ ଆଗରେ ହିଁ ଭିଆଇଥିଲେ ଜଘନ୍ୟ ଅପରାଧ। ଘଟଣାକୁ ନେଇ ଚାରିଆଡ଼େ ଉଦବେଗ ପ୍ରକାଶ ସହ ପର୍ଯ୍ୟଟନ କ୍ଷେତ୍ରରେ ସୁରକ୍ଷାକୁ ନେଇ ଉଠିଥିଲା ପ୍ରଶ୍ନ। ତେବେ ଗୋପାଳପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ୨ ଦିନ ମଧ୍ୟରେ ସବୁ ୧୦ ଅଭିଯୁକ୍ତଙ୍କୁ ଧରିଥିଲା। ତା’ସହ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରି କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦେଇଥିଲେ ରାଜ୍ୟ ସରକାର। 

କ୍ରାଇମବ୍ରାଞ୍ଚ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରି ୪୫ ଦିନ ଭିତରେ ଅର୍ଥାତ ଜୁଲାଇ ୨୮ରେ ଦେଇଥିଲା ୭ ଶହରୁ ଅଧିକ ପୃଷ୍ଠାର ଚାର୍ଜସିଟ୍। ଏବେ ମାମଲାରେ ୪ ନାବାଳକଙ୍କ ମଧ୍ୟରୁ ୩ଜଣଙ୍କୁ କୋର୍ଟ ସାବାଳକ ଭାବେ ଗ୍ରହଣ କରିଥିବାବେଳେ ମାମଲାରେ ୬୦ରୁ ଅଧିକ ସାକ୍ଷୀ ରହିଛନ୍ତି। ତେଣୁ ସାକ୍ଷୀମାନେ ଯଦି, ନିର୍ଦ୍ଧାରିତ ସମୟ ଭିତରେ ହାଜର ହୋଇ ସାକ୍ଷ୍ୟପ୍ରଦାନ କରନ୍ତି, ତେବେ ତ୍ୱରିତ୍ ବିଚାର ସହ ତୁରନ୍ତ ଦଣ୍ଡବିଧାନ ହୋଇପାରିବ ବୋଲି କହିଛନ୍ତି ଆଇନଜୀବୀ।
୧୬ ଡିସେମ୍ବର, ୨୦୧୨। ସାରା ଦେଶକୁ ଦୋହଲାଇଦେଇଥିଲା ରାଜଧାନୀ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ସହ ହତ୍ୟା ମାମଲା। ଏହି ମାମଲାରେ ୪ ଅପରାଧୀଙ୍କୁ ଫାଶିରେ ଝୁଲାଇ ଦିଆଯାଇଥିଲା। ତାହାରି ଭିତରେ ଚର୍ଚ୍ଚାରେ ଥିଲା ପବନ ଗୁପ୍ତା। ଯାହାକୁ ୧୭ ବର୍ଷ ଗୋଟିଏ ମାସ ଏବଂ ନାବାଳକ ଦର୍ଶାଇ ମୃତ୍ୟୁ ଦଣ୍ଡାଦେଶକୁ ଟାଳି ଚାଲୁଥିଲେ ତା’ର ଓକିଲ। 

କିନ୍ତୁ ଅପରାଧର ଗୁରୁତ୍ବକୁ ଦେଖି ଖାରଜ କରିଦେଇଥିଲେ କୋର୍ଟ। ଏହା ପରେ ନୂଆ ବିଚାର ବ୍ୟବସ୍ଥା ଅନୁଯାୟୀ, କୌଣସି ସ୍ପର୍ଶକାତର ଏବଂ ଜଘନ୍ୟ ଅପରାଧରେ ଯଦି କେହି ୧୬ରୁ ଅଧିକ ଏବଂ ୧୮ବର୍ଷରୁ କମ୍ ଅଭିଯୁକ୍ତ ଥିବେ, ତାହେଲେ ସେମାନଙ୍କ ବିରୋଧରେ ସାବାଳକ ଭାବେ ବିଚାର ପ୍ରକ୍ରିୟା ଚାଲିବ। କିନ୍ତୁ ନାଁ ଓ ଠିକଣା ପ୍ରଘଟ ହେବ ନାହିଁ।

Read Entire Article