Railway: ଚର୍ଚ୍ଚାରେ ତତ୍କାଳୀନ ରେଳବାଇ ଏଡିଜି

2 hours ago 1
.

କଟକ: ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ମୃତ୍ୟୁ ଘଟଣାରେ ତତ୍କାଳୀନ ରେଳବାଇ ଏଡିଜି ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଗୁମର ଫିଟିଛି। ଭୁବନେଶ୍ବରରେ ଥିବା ତାଙ୍କ ଜିମ୍ ଚଳାଇବା ପାଇଁ ସୌମ୍ୟରଞ୍ଜନଙ୍କୁ ନିୟୋଜିତ କରାଯିବା ଓ ଅନ୍ୟ ୭ ପୁଲିସ କର୍ମଚାରୀଙ୍କୁ ବ୍ୟକ୍ତିଗତ କାମରେ ନିୟୋଜିତ ଅଭିଯୋଗ ସାମନାକୁ ଆସିବା ପରେ ପ୍ରାଥମିକ ଭାବେ ଚାରି ପୁଲିସ କର୍ମଚାରୀଙ୍କୁ ତାଙ୍କ ସରକାରୀ କ୍ବାର୍ଟରରୁ ହଟାଇ ଦିଆଯାଇଛି। ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟରରେ ଗେଟ୍ ଡ୍ୟୁଟି କରୁଥିବା ଦୁଇ କନେଷ୍ଟବଳଙ୍କ ସମେତ ୪ ଜଣଙ୍କୁ ଦାୟିତ୍ବରୁ ଅପସାରଣ କରାଯାଇଥିବା କଟକ ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। 

1200 minor: ୧୨ ଶହ ନାବାଳିକା ଅପହୃତ


ଓଡ଼ିଶା ପୁଲିସରେ ପ୍ରଥମେ ଏପିଆର୍ କନେଷ୍ଟବଳ ଭାବେ ଯୋଗ ଦେଇଥିବା ସୌମ୍ୟରଞ୍ଜନ ପରେ ଓଆର୍ କନେଷ୍ଟବଳ ଭାବେ କାର୍ଯ୍ୟ କରି ଆସୁଥିଲେ। ତତ୍କାଳୀନ ରେଳବାଇ ଏଡିଜି ଥିବା ଆଇପିଏସ୍ ଅଫିସରଙ୍କ ଜିମ୍‌ରେ ସୌମ୍ୟରଞ୍ଜନ ମାଗଣାରେ କାର୍ଯ୍ୟ କରିଆସୁଥିଲେ। ଏହାପରେ ସମ୍ପୃକ୍ତ ଆଇପିଏସ୍‌ ଅଫିସର ରେଳବାଇରୁ ବଦଳି ହୋଇ ଅନ୍ୟ ବିଭାଗକୁ ଯିବା ପରେ ମଧ୍ୟ ବିଭିନ୍ନ ସମୟରେ ଆହୁରି ୭ ଜଣ ପୁଲିସ କର୍ମଚାରୀ ତାଙ୍କ ନିକଟରେ ରହି ବ୍ୟକ୍ତିଗତ କାମରେ ନିୟୋଜିତ ହୋଇଥିଲେ। ସମ୍ପୃକ୍ତ ଆଇପିଏସ୍‌ ଅଫିସରଜଣକ ସୌମ୍ୟରଞ୍ଜନଙ୍କ ଦ୍ବାରା ମାଲିସ କରାଇବା ସହିତ ନିର୍ଯାତନା ଦେଇ ଆସୁଥିବା ତାଙ୍କ ମା’ ଗଣମାଧ୍ୟମରେ ଖୋଲାଖୋଲି ଅଭିଯୋଗ କରିଛନ୍ତି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ‘ସମ୍ବାଦ’ରେ ଶୁକ୍ରବାର ପ୍ରକାଶ ପାଇବା ପରେ ପୁଲିସ ବିଭାଗରେ ଘଣ୍ଟାଚକଟା ଆରମ୍ଭ ହୋଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆଇପିଏସ୍‌ ଅଫିସରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି। 
ଅନ୍ୟପଟେ ଆଜି ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘର ସଭାପତି ଅନିଲ କୁମାର ଷେଣ୍ଢଙ୍କ ନେତୃତ୍ବରେ ଏକ ଟିମ୍ କଟକ ରେଳବାଇ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ଭେଟିଛନ୍ତି। ଶ୍ରୀ ଷେଣ୍ଢ କହିଛନ୍ତି ଯେ କନେଷ୍ଟବଳ ସୌମ୍ୟରଞ୍ଜନଙ୍କୁ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଅନ୍ୟପଟେ ରେଳବାଇ ଏସ୍‌ପି ଶ୍ରୀ ଉଦଗାତା କହିଛନ୍ତି, ମୃତ ସୌମ୍ୟରଞ୍ଜନ ଦୁଇ ତିନୋଟି ଜିମ୍ ଚଳାଉଥିଲେ। ସରକାରୀ କାର୍ଯ୍ୟରେ ଅନୁପସ୍ଥିତ ରହି ଦରମା ନେଉଥିଲେ। ଯେଉଁ ଆଇପିଏସ୍‌ ଅଫିସରଙ୍କ କ୍ବାର୍ଟରରେ ପୁଲିସ କର୍ମଚାରୀ ଡ୍ୟୁଟି କରୁଥିଲେ, ତାଙ୍କ କ୍ବାର୍ଟରରୁ ଚାରି ଜଣଙ୍କୁ କାଢ଼ି ନିଆଯାଇଛି। ରେଳବାଇରେ ଥିବା ସମୟରେ ସେମାନଙ୍କୁ ସେ ଘରୋଇ କାର୍ଯ୍ୟରେ ନିୟୋଜିତ କରିଥିଲେ। ଜିଲ୍ଲା ମଙ୍ଗଳ କମିଟି ପକ୍ଷରୁ ଜିଆରପି ଆରଆଇ ଓ ଅନ୍ୟ ପୁଲିସ କର୍ମଚାରୀ ମୃତ ସୌମ୍ୟରଞ୍ଜନଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଭୁବନେଶ୍ବର ଡିସିପିଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ରେଳବାଇ ଏସ୍‌ପି ଶ୍ରୀ ଉଦ୍‌ଗାତା ସୂଚନା ଦେଇଛନ୍ତି। 

Odisha : ଆନ୍ଧ୍ର ଡାକ୍ତରରେ ଓଡ଼ିଶା ଚିକିତ୍ସା


ଅନ୍ୟପଟେ ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରିବା, ଠକେଇ, ଜୀବନରୁ ମାରିଦେବାକୁ ଧମକ, ଅସଭ୍ୟ ଭାଷାରେ ଗାଳିଗୁଲଜ ଭଳି ଅଭିଯୋଗରେ କଟକ ମହିଳା ଥାନା ପୁଲିସ ସୌମ୍ୟରଞ୍ଜନଙ୍କ ବିରୋଧରେ (କେସ୍‌ ନଂ ୨୪/୨୦୨୧), ଆଇପିସି ୪୯୩, ୪୨୦, ୨୯୪, ୩୫୪(ଏ), ୩୪୧, ୩୨୩, ୫୦୬, ୩୪ରେ ଏକ ମାମଲା ରୁଜୁ କରିଥିଲା। ସୌମ୍ୟରଞ୍ଜନଙ୍କ ସମେତ ତିନି ଜଣଙ୍କ ବିରୋଧରେ ସେତେବେଳେ ଏହି ମାମଲା ରୁଜୁ ହୋଇଥିଲା। ଜାମିନରେ ଆସିବା ପରେ ନିଲମ୍ବିତ ସୌମ୍ୟରଞ୍ଜନ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ତାଙ୍କୁ ପୁଲିସ ବିଭାଗର ବରିଷ୍ଠ ଆଇପିଏସ୍ ଅଫିସର ଜିମ୍ ପରିଚାଳନା ଦାୟିତ୍ବ ଦେବା ଓ ବ୍ୟକ୍ତିଗତ କାମରେ ନିୟୋଜନ କରିବା ଘଟଣା ଆହୁରି ରହସ୍ୟ ସୃଷ୍ଟି କରିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବଡ଼ଧରଣର ବେଆଇନ କାରବାର ସାମନାକୁ ଆସିବ ବୋଲି ପୁଲିସ କର୍ମଚାରୀ ମହଲରେ ଦାବି ଉଠିଛି।

Read Entire Article