ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ୨୨୦ ନଂ ଜାତୀୟ ରାଜପଥରେ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ଚୁଡ଼ି ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଅଞ୍ଚଳର ମୁସଲିମ ସାହିର ସେକ ତାଜ୍ଜୁଦିନଙ୍କ ପୁଅ ସେକ୍ କୁଦୁସ (୪୪)।
/filters:format(webp)/sambad/media/media_files/2026/06/09/accident-at-rairangpur-2026-06-09-19-54-55.jpg)
ସୂଚନାନୁସାରେ, ଆଜି (ମଙ୍ଗଳବାର) ପୂର୍ବାହ୍ଣରେ ନିତିଦିନ ଭଳି ସେ ନିଜର ବାଇକ୍ ସହ ଚୁଡ଼ି ନେଇ ଗମ୍ଭାରିଆରୁ ରାଇରଙ୍ଗପୁର ଆସୁଥିଲେ। ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥରେ ଏକ ସ୍କର୍ପିଓ (ଓଡ଼ି ୧୧ଏଡି ୦୮୪୧) ଦ୍ରୁତଗତିରେ ରାଇରଙ୍ଗପୁର ପଟକୁ ଆସିଥିଲା । ଟ୍ରକକୁ ଓଭରଟେକ୍ କରିବା ସମୟରେ ସେକ୍ ଖୁଦୁସଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ସେକ୍ ଖୁଦୁସଙ୍କ ମୃତ୍ୟୁ ଘଟିଥିଲା। ସ୍କୋର୍ପିଓ ଚାଳକ ଦୁର୍ଘଟଣା ଘଟାଇ ଫେରାର ହେଉଥିବା ବେଳେ ରାଇରଙ୍ଗପୁର ଥାନା ପୁଲିସ ଖବର ପାଇ ନାକା କରି ତାଙ୍କୁ ଧରିଥିଲେ।
ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚପା ଉତ୍ତେଜନା ଦେଖା ଦେଇଥିଲା। ଗାଡି ଚାଳକ ନିଶାଶକ୍ତ ଅବସ୍ଥାରେ ବେପରୁଆ ଭାବେ ଗାଡି ଚାଳନା କରି ଦୁର୍ଘଟଣା ଘଟାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ଜାତୀୟ ରାଜପଥ ଅବରୋଧ ଯୋଗୁଁ ଉଭୟ ପଟରେ ତିନି ଘଣ୍ଟା ଧରି ଗାଡି ମୋଟର ଚଳାଚଳ ବ୍ୟାହତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଗାଡି ଅଟକି ରହିଛି। ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ ।
ରାଇରଙ୍ଗପୁରସ୍ଥ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଏସପି ଯଦୁନାଥ ଜେନା,ଏସଡିପିଓ ବୀରେନ୍ଦ୍ର ସେନାପତି ଓ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁଙ୍କ ସହ ମୃତକଙ୍କ ପରିବାର ସଦସ୍ୟମାନେ ଆଲୋଚନା କରିଥିଲେ। ଗାଡ଼ି ମାଲିକ ମୃତକଙ୍କ ପରିବାରକୁ ୧ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶି ଦେବାକୁ ପ୍ରତିଶ୍ରୁତି ଦେଇଥିବାର ସୂଚନା ରହିଛି । ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ରାସ୍ତା ଅବରୋଧରୁ ଗ୍ରାମବାସୀ ଓହରିଥିଲେ । ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇ ଦୁର୍ଘଟଣା ଘଟାଇଥିବା ଓ ବାଇକ୍କୁ ଜବତ କରାଯାଇଛି ।

1 week ago
3