ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଇଞ୍ଜିନିୟର୍। ଭୁବନେଶ୍ବର TPCODL ସର୍କଲ୍ -୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଭିଜିଲାନ୍ସ ପଞ୍ଝାରେ। ସେ ୨୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ। ଇଲେକଟ୍ରିକାଲ୍ କଣ୍ଟ୍ରାକ୍ଟରଙ୍କ ଯାଞ୍ଚ ସପକ୍ଷରେ ରିପୋର୍ଟ ଦେବାକୁ ଡିଲ୍ ହୋଇଥିଲା।
TPCODL ENGINEER NABBED BY VIGILLANCE Photograph: (OTV)
ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଇଞ୍ଜିନିୟର୍। ଭୁବନେଶ୍ବର TPCODL ସର୍କଲ୍ -୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଭିଜିଲାନ୍ସ ପଞ୍ଝାରେ। ସେ ୨୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ। ଅଭିଯୋଗକାରୀ ଇଲେକଟ୍ରିକାଲ୍ କଣ୍ଟ୍ରାକ୍ଟରଙ୍କ ଯାଞ୍ଚ ସପକ୍ଷରେ ରିପୋର୍ଟ ଦେବାକୁ ଡିଲ୍ ହୋଇଥିଲା। ଏଥିପାଇଁ କୁଆଡ଼େ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଭୁବନେଶ୍ବର TPCODL ସର୍କଲ୍ -୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ। ନିଜ ଘର ପାଖକୁ ଅଭିଯୋଗକାରୀଙ୍କୁ ଡାକି ଲାଞ୍ଚ ନେବା ପରେ ରଙ୍ଗେ ହାତ୍ ଧରିଛି ଭିଜିଲାନ୍ସ। ଏହାପରେ ଯାଞ୍ଚ କରୁ କରୁ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି। କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ୯ ଲକ୍ଷ ୫୩ ହଜାର ଟଙ୍କା କ୍ୟାସ୍ ଜବତ ହୋଇଚି। ତାସହ ୩ରୁ ଅଧିକ ସ୍ଥାନରେ ଯାଞ୍ଚ ଏବେ ବି କରୁଛି ଭିଜିଲାନ୍ସ ଟିମ୍।
ଗତ ଦୁଇମାସ ଧରି ଅଭିଯୋଗକାରୀ ଠିକାଦାର ତାଙ୍କ ସପକ୍ଷରେ ଚୂଡାନ୍ତ ରିପୋର୍ଟ ଦେବାକୁ ବାରମ୍ବାର ଅନୁରୋଧ କରୁଥିଲେ। ଏପରିକି ଯନ୍ତ୍ରୀଙ୍କ ଚାମ୍ବରକୁ ଯାଇ ଦେଖା କରୁଥିଲେ। ହେଲେ ଯନ୍ତ୍ରୀ କିନ୍ତୁ ସହଜରେ ରିପୋର୍ଟ ଦେଉନଥିଲେ। ଶେଷରେ ୨୦ ହଜାର ଟଙ୍କା ଦେଲେ ରିପୋର୍ଟ ଦେବାକୁ ଡିଲ ହୋଇଥିଲା। ଘଟଣାଦିନ ଅର୍ଥାତ ସେପ୍ଟେମ୍ବର ୨୪ ସଂନ୍ଧ୍ୟାରେ ଅଭିଯୋଗକାରୀ ଠିକାଦାର ଯନ୍ତ୍ରୀଙ୍କ ବାସଭବନ ନିକଟରେ ପହଞ୍ଚିଥିଲେ। ଏହାପରେ ଯନ୍ତ୍ରୀ ତାଙ୍କ ଘର ନିକଟରେ ଥିବା ଏକ ପାର୍କକୁ ଡାକି ନେଇଥିଲେ। ପରେ ସେଠାରେ ତାଙ୍କଠାରୁ ୨୦ ହଜାର ଟଙ୍କା କ୍ୟାଶ ଧରିଥିଲେ। ଆଉ ଏହି ସମୟରେ ପୂର୍ବରୁ ବାହାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କୁ ମାଡି ବସିଥିଲେ। ଏହାପରେ ତାଙ୍କୁ ଧରି ଖୋଳତାଡ କରିବା ସହିତ ଘରେ ଯାଇ ଚଢାଉ କରିଥିଲା ଭିଜିଲାନ୍ସ। ଏବେ ଟିମ ସମସ୍ତ ସମ୍ପତ୍ତିର ଯାଂଚ କରିବା ସହିତ ହିସାବ କରୁଛି।
କିଛି ଦିନ ଧରି ଭିଜିଲାନ୍ସ ରାଜ୍ୟରେ ବେଶ ସକ୍ରିୟ ରହିଛି। ଗତ ୧୫ ମାସରେ ଭିଜିଲାନ୍ସ ହାତରେ ୧୯୯ ଜଣ ସରକାରୀ ବାବୁ ଧରାପଡ଼ିଲେଣି । ୧୯୯ ଦୁର୍ନୀତି ସରକାରୀ ଅଧିକାରୀଙ୍କୁ ଧରିଲାଣି ଭିଜିଲାନ୍ସ। ଗତ ୧୫ ମାସରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି ଭିଜିଲାନ୍ସ। ଲାଞ୍ଚ ନେବା ଅଭିଯୋଗରେ ରୁଜୁ ହୋଇଛି ୧୨୨ଟି ମାମଲା। ମୋଟ ୨୦୨ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖି କହିଛନ୍ତି,ଗତ ୫ ବର୍ଷରେ ୩ ହଜାର ୬୬୧ଟି ଦୁର୍ନୀତି ନିବାରଣ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ୭୨୨ଟି ମାମଲା ତଦନ୍ତାଧୀନ ରହିଛି। ୨୦୨୪ ଜୁଲାଇ ୧ ତାରିଖରୁ ଆଜି ପର୍ଯ୍ୟନ୍ତ (ତା.୧୫.୦୯.୨୦୨୫ ରିଖ ମଧ୍ୟରେ) ରାଜ୍ୟ ଭିଜିଲାନ୍ସ ବିଭାଗ ୭୭ ଜଣ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ ହୋଇଛି। ମୋଟ୍ ୨୦୨.୫୮ କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପରି ଜବତ କରିଛି ଭିଜିଲାନ୍ସ।
ଉକ୍ତ ଆୟ ବହିର୍ଭୂତ ସମ୍ପଭି ମଧ୍ୟରୁ ନଗଦ ରାଶି ୮.୩୮କୋଟି ଟଙ୍କା, ୨୧୮ ଗୋଟି ଫ୍ଲାଟ, ୭୭୫ ଗୋଟି ପ୍ଲଟ, ୧୬ ଟି ସୁନା ବିସ୍କୁଟ ସହିତ ମୋଟ ୨୫ କିଲୋ ୫୫୩ ଗ୍ରାମର ସୁନା ଅଳଙ୍କାର, ୧୩ ଗୋଟି ଫାର୍ମ ହାଉସ, ୪୪.୨୧ କୋଟି ଟଙ୍କାର ବ୍ୟାଙ୍କ ଜମା ଏବଂ ୪୩.୦୨ କୋଟି ଟଙ୍କାର ବିମା ରାଶି ଅନ୍ତର୍ଭୁକ୍ତ ଅଟେ।ଏହି ସମୟ ମଧ୍ୟରେ ମୋଟ ୭୮୫ ଜଣଙ୍କ ବିରୁଦ୍ଧରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି । ୧୭୦ ଲୋକଙ୍କୁ ଦଣ୍ଡିତ କରାଯାଇଛି। ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ଦ୍ବାରା କେସ୍ ରୁଜୁ କରାଯାଇଥିବା ପ୍ରମୁଖ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଜେଲ ହାଜତକୁ ପଠାଯାଇଛି।