ଓଡ଼ିଶା ମେଟାଲିକ୍ସ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ: ଆନ୍ଦୋଳନ ଚେତାବନୀ

2 hours ago 1
.

ଝାରସୁଗୁଡ଼ା, ୯ା୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟାଠାରେ ଅବସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ନେଇ ବିବାଦ ଘନେଇବାରେ ଲାଗିଛି। ପୁରୁଣା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି ଏବଂ ଭେଡେନ୍‌ ନଦୀରୁ ବେଆଇନ ଜଳ ଉଠାଣ ଅଭିଯୋଗରେ ସ୍ଥାନୀୟ ଜନସାଧାରଣ ଓ ଶ୍ରମିକ ଶୁକ୍ରବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଦାବି ପୂରଣ ନ ହେଲେ ଆସନ୍ତା ୧୩ ତାରିଖରୁ କମ୍ପାନୀ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଉକ୍ତ କମ୍ପାନୀର ପୁରୁଣା କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୬ରେ ବନ୍ଦ ହୋଇଥିବା ଏହି କମ୍ପାନୀ ୨୦୨୧ରେ ପୁଣି କାର୍ଯ୍ୟକ୍ଷମ ହୋଇଥିଲା। ମାତ୍ର ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିବା ପୁରୁଣା ଶ୍ରମିକମାନଙ୍କୁ କମ୍ପାନୀ ପୁନଃ ନିଯୁକ୍ତି ଦେଉନାହିଁ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ କମ୍ପାନୀର ପେ-ରୋଲ୍‌ ନିୟମ ଅନୁଯାୟୀ ପୁରୁଣା କର୍ମଚାରୀଙ୍କୁ କମ୍ପାନୀରେ ସିଧାସଳଖ ନିଯୁକ୍ତି ପ୍ରଦାନ, ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଯୁବକଙ୍କୁ ପ୍ରାଥମିକତା ଦିଆଯିବା, ଅବସର ନେବାକୁ ଚାହୁଁଥିବା କର୍ମଚାରୀଙ୍କ ବକେୟା ପାଉଣା ତୁରନ୍ତ ପ୍ରଦାନ କରାଯିବା ପାଇଁ ଦାବି ହୋଇଛି। ଏ ସମ୍ପର୍କିତ ଦାବିପତ୍ର ଓଡ଼ିଶା ମେଟାଲିକ୍ସ ପୂର୍ବତନ କର୍ମଚାରୀ ସଂଘ ପକ୍ଷରୁ ଝାରସୁଗୁଡ଼ା ଜିଲାପାଳ, ଏସ୍‌ପି, ଶ୍ରମ କମିଶନରଙ୍କୁ ପ୍ରଦାନ କରାଯାଇଛି।
ଅପରପକ୍ଷେ ଉକ୍ତ କମ୍ପାନୀ ଇବ୍‌ ନଦୀରୁ ବେଆଇନ ଭାବେ ଜଳ ଉଠାଉଥିବା ନେଇ ବ୍ରଜରାଜନଗର ପୌରପାଳିକାର କାଉନ୍‌ସିଲର ଏବଂ ରେମଜା, ଉଜ୍ଜ୍ୱଳପୁରର ଗ୍ରାମବାସୀ ଶୁକ୍ରବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ହେଲେ ଜିଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ୍‌ ବ୍ରଜବନ୍ଧୁ ଭୋଇ ଦାବିପତ୍ର ଗ୍ରହଣ କରିଛନ୍ତି। ସରକାରଙ୍କ ବିନା ଅନୁମତିରେ ଏହି କମ୍ପାନୀ ନଦୀରେ ପାଇପ୍‌ ଲାଇନ ବିଛାଇ ଶିଳ୍ପ କାର୍ଯ୍ୟ ପାଇଁ ପାଣି ନେଉଥିବାରୁ ନଦୀକୂଳବର୍ତ୍ତୀ ୫୦ରୁ ଅଧିକ ଗ୍ରାମରେ ଜଳାଭାବ ଦେଖାଦେଇଛି। ଏଥିଯୋଗୁ ମନୁଷ୍ୟ ସମେତ ପଶୁପକ୍ଷୀ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି। ଏହାଦ୍ୱାରା ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ବହାନି ହେଉଛି। ଏଣୁ ତୁରନ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସେହିପରି ମରାକୁଟା ପଞ୍ଚାୟତବାସୀ ମଧ୍ୟ ଉକ୍ତ କମ୍ପାନୀ ବିରୋଧରେ ଶୁକ୍ରବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି, ଏହି କମ୍ପାନୀ ପକ୍ଷରୁ ସ୍ଥାନୀୟ ଗୋଚର ଜମିକୁ ଜବରଦଖଲ କରାଯାଉଛି। ଅପରପକ୍ଷେ ଉକ୍ତ କମ୍ପାନୀ ପ୍ରତିଷ୍ଠା ସମୟରେ ଅଞ୍ଚଳର ପାରିପାର୍ଶ୍ୱିକ ବିକାଶ ପାଇଁ ସରକାରୀ ନିୟମ ଅନୁଯାୟୀ ଚୁକ୍ତି କରିଥିଲା। ତଦନୁଯାୟୀ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯାଉନାହିଁ। ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଶତାଧିକ ଶ୍ରମିକ, କମ୍ପାନୀର ପୁରୁଣା କର୍ମଚାରୀ, ସ୍ଥାନୀୟ ଅଞ୍ଚଳର ବହୁସଂଖ୍ୟକ ଜନସାଧାରଣ ଆସନ୍ତା ୧୩ରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଏହି ପୃଥକ୍‌ ଦାବିପତ୍ର ପ୍ରଦାନବେଳେ ଓଡ଼ିଶା ମେଟାଲିକ୍ସ ପୂର୍ବତନ କର୍ମଚାରୀ ସଂଘ ପକ୍ଷରୁ ଦେବାନନ୍ଦ ବାରିକ, ଦୌଡ଼ ନାୟକ, ଆଶିଷ ବଡ଼ପଣ୍ଡା, ରବି ଭୋଇ, ବ୍ରଜରାଜନଗର ପୌର ପରିଷଦର ସମସ୍ତ କାଉନସିଲର, ମରାକୁଟା ସରପଞ୍ଚ ଲିଲି ତନ୍ତୀ, ନାଏବ ସରପଞ୍ଚ ଆଶିଷ ଗର୍ଡିଆ, ସମିତି ସଭ୍ୟା ସୁଜାତା ମେହେରଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ଏନେଇ ଉକ୍ତ କମ୍ପାନୀର ବରିଷ୍ଠ ଅଧିକାରୀ ଅଜିତ୍‌ ସିଂଙ୍କୁ ପଚାରିବାରୁ ସେ ମତାମତ ଦେବାକୁ ମନା କରିଥିଲେ। ଅପରପକ୍ଷେ ଝାରସୁଗୁଡ଼ା ଉପଜିଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି, ସମସ୍ତ ଘଟଣାର ତଦନ୍ତ ପରେ ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ, ଏହି କମ୍ପାନୀ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖିବାକୁ ମିଳିଥିବାବେଳେ ଜିଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନର ରୂପ ନେବ ବୋଲି ଜିଲାର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily


Read Entire Article