ମହିଳାଙ୍କ ମସ୍ତିଷ୍କର ଦୁଇ ପାର୍ଶ୍ୱକୁ ଯୋଡ଼ିଥାଏ କର୍ପସ କଲୋଜମ୍ । ଏହା ସାଧାରଣତଃ ଟିକେ ମୋଟା ଥାଏ। ସେଥିପାଇଁ ଭାବନା ଓ ଭାଷା କେନ୍ଦ୍ର ମଧ୍ୟରେ ସଂଯୋଗ ଭଲ ରହିଥାଏ
ନୂଆଦିଲ୍ଲୀ: ଅନେକ ସମୟରେ ଦେଖିବାକୁ ମିଳେ ମହିଳାମାନେ କୌଣସି କଥା ଗୁପ୍ତ ରଖିପାରନ୍ତି ନାହିଁ । ଏହା ପଛରେ ରହିଛି କଣ କାରଣ? ଏହାକୁ ତର୍ଜମା କଲେ ବହୁ ପୌରାଣିକ କାହାଣୀ ମିଳିଥାଏ । ହେଲେ ଏହା ପଛରେ କଣ ରହିଛି ବୈଜ୍ଞାନିକ ବିଷୟବସ୍ତୁ । ଆସନ୍ତୁ ଏହା ଉପରେ ଜାଣିବା । ପ୍ରଥମେ ଜାଣିବା କଣ ରହିଛି ପୌରାଣିକ କାହାଣୀ ।
ପୌରାଣିକ କଥାବସ୍ତୁକୁ ଗଲେ ଆସନ୍ତା ଯିବା ମହାଭାରତକୁ । କୁନ୍ତୀ କୁଆଁରୀ ଥିବା ସମୟରେ ଦୁର୍ବାସା ଋଷିଙ୍କ ମନ୍ତ୍ରରେ ସୂର୍ୟ୍ୟଦେବଙ୍କୁ ଆହ୍ୱାନ କରି କର୍ଣ୍ଣଙ୍କୁ ଜନ୍ମ ଦେଇଥିଲେ। ଲୋକଲଜ୍ଜା ଭୟରେ ସେ ଶିଶୁ କର୍ଣ୍ଣଙ୍କୁ ନଦୀରେ ଭସାଇ ଦେଇଥିଲେ । ସେକଥା ଜୀବନସାରା ଲୁଚାଇ ରଖିଥିଲେ। କୁରୁକ୍ଷେତ୍ର ଯୁଦ୍ଧ ପର୍ୟ୍ୟନ୍ତ ପାଣ୍ଡବମାନେ ଜାଣିନଥିଲେ କର୍ଣ୍ଣ ସେମାନଙ୍କ ବଡ଼ ଭାଇ ବୋଲି। ଯୁଦ୍ଧରେ କର୍ଣ୍ଣଙ୍କର ମୃତ୍ୟୁ ହେଲା । କର୍ଣ୍ଣଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଲେ କୁନ୍ତି । ଯେତେବେଳେ ଯୁଧିଷ୍ଠିର ସତ ଜାଣିଲେ, ସେ ଦୁଃଖରେ ଭାଙ୍ଗିପଡିଥିଲେ । ଆଉ କୁନ୍ତୀଙ୍କୁ ଅଭିଶାପ ଦେଇଥିଲେ ।
ଆଉ କହିଥିଲେ, ଆଜିଠାରୁ କୌଣସି ନାରୀ କୌଣସି ଗୋପନ କଥା ନିଜ ହୃଦୟରେ ଲୁଚାଇ ରଖିପାରିବେ ନାହିଁ। କୁହାଯାଏ ଯୁଧିଷ୍ଠିରଙ୍କ ସେହି ଅଭିଶାପ ପରେ ମହିଳାମାନେ କୌଣସି କଥା ନିଜ ହୃଦୟରେ ରଖିପାରନ୍ତି ନାହିଁ । ଏହାକୁ ଲୋକକଥା ବୋଲି ବିଚାର କରାଯାଏ।
ତେବେ ବୈଜ୍ଞାନିକ କଣ କୁହନ୍ତି?
ପୂରା ଘଟଣାକୁ ଯିବା ପୂର୍ବରୁ ବୈଜ୍ଞାନିକମାନେ ୩ଟି କଥାକୁ ବିଚାରକୁ ନେଇଛନ୍ତି । ମସ୍ତିଷ୍କ ବିଜ୍ଞାନ, ମନୋ ବିଜ୍ଞାନ ଓ ସାମାଜିକ ବିଜ୍ଞାନ । ପ୍ରଥମେ ଆସନ୍ତୁ ନଜର ପକାଇବା ମସ୍ତିକ ବିଜ୍ଞାନ ଉପରେ ।
୧: ମସ୍ତିଷ୍କ ବିଜ୍ଞାନ
ମହିଳାଙ୍କ ମସ୍ତିଷ୍କର ଦୁଇ ପାର୍ଶ୍ୱକୁ ଯୋଡ଼ିଥାଏ କର୍ପସ କଲୋଜମ୍ । ଏହା ସାଧାରଣତଃ ଟିକେ ମୋଟା ଥାଏ। ସେଥିପାଇଁ ଭାବନା ଓ ଭାଷା କେନ୍ଦ୍ର ମଧ୍ୟରେ ସଂଯୋଗ ଭଲ ରହିଥାଏ । ଯାହାଫଳରେ ମହିଳାମାନେ ନିଜ ଭାବନା ବାଣ୍ଟି ହାଲୁକା ହେବାକୁ ଅଧିକ ପସନ୍ଦ କରନ୍ତି। ଠିକ୍ ସେମିତି ମହିଳାଙ୍କ ଶରୀରରେ ଅକ୍ସିଟୋସିନ୍ ହରମୋନ ଅଧିକ ଥାଏ। ଏହାକୁ ବ୍ଲଡିଂ ହରମୋନ ବୋଲି କୁହାଯାଏ। ଏହା ମହିଳାଙ୍କ ଶରୀରରେ ବିଶ୍ୱାସ ଓ ସମ୍ପର୍କ ଗଢେ । ଯାହା ଫଳରେ ନିଜର ବିଶ୍ୱସ୍ତ ଲୋକଙ୍କ ସହ କଥା ଶେୟାର କରିବାର ପ୍ରବୃତ୍ତି ବଢ଼ାଇଥାଏ। ଏହା କୌଣସି କଥାକୁ ଗୋପନ ରଖିପାରନ୍ତି ନାହିଁ ନୁହେଁ, ବରଂ ସମ୍ପର୍କରେ ସଚ୍ଚୋଟ ରହିବାର ପ୍ରବୃତ୍ତି ବୋଲି କୁହାଯାଇଥାଏ।
୨: ମନୋବିଜ୍ଞାନ
୨୦୧୭ ମସିହାରେ କଲୋମ୍ବିଆ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ହୋଇଥିଲା । ସେଥିରୁ ଜଣାପଡ଼ିଥିଲା, ହାରାହାରି ଜଣେ ବ୍ୟକ୍ତି ୧୩ଟି ଗୋପନ କଥା ରଖିଥାଏ । ସେଥିରୁ ୫ଟି କାହାକୁ ମଧ୍ୟ କହିନଥାନ୍ତି। ଲିଙ୍ଗ ଆଧାରରେ କୌଣସି ପାର୍ଥକ୍ୟ ମିଳିନାହିଁ। ପୁରୁଷ ଓ ମହିଳା ସମାନ ଭାବେ କଥା ଲୁଚାଇ ପାରନ୍ତି। କିନ୍ତୁ ମହିଳାମାନେ କୌଣସି କଥାକୁ ଗୋପନରେ ରଖିଲେ ଅଧିକ ମାନସିକ ଚାପ ଅନୁଭବ କରନ୍ତି । କାରଣ ସେମାନେ ସମ୍ପର୍କରେ ଖୋଲା ରହିବାକୁ ଅଧିକ ଗୁରୁତ୍ୱ ଦିଅନ୍ତି।
ଅନ୍ୟପକ୍ଷରେ କ୍ୱିନ୍ସଲାଣ୍ଡ ବିଶ୍ୱବିଦ୍ୟଳୟର ଆଉ ଏକ ଷ୍ଟଡି କହିଛି, ଯଦି କଥାଟି ନିଜର ନୁହେଁ, ଅନ୍ୟ କାହାର ଗୋପନୀୟତା ସହ ଜଡିତ, ତାହାହେଲେ ମହିଳାମାନେ ପୁରୁଷଙ୍କଠାରୁ ଅଧିକ ଭଲ ଭାବେ ଗୋପନ ରଖନ୍ତି। କାରଣ ସେମାନଙ୍କ ମଧ୍ୟରେ ସମ୍ବେଦନ ଶକ୍ତି ଅଧିକ ଥାଏ।
୩: ସାମାଜିକ ବିଜ୍ଞାନ
ପରିବାରରେ ମହିଳାମାନେ କମ୍ୟୁନିକେସନ୍ ହବ(ସଞ୍ଚାର କେନ୍ଦ୍ର) ଭଳି କାମ କରନ୍ତି। ଯେଉଁଠି ସମସ୍ତଙ୍କ ଖବର ସେମାନଙ୍କ ପାଖରେ ରହିଥାଏ। ସମ୍ପର୍କ ଯୋଡିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥାଏ। ତେଣୁ କଥା ପ୍ରଘଟ ହେବାର ସମ୍ଭାବନା ବଢେ । କିନ୍ତୁ ଏହା ଦୁର୍ବଳତା ନୁହେଁ ବୋଲି ମତ ପ୍ରକାଶ ପାଇଛି ।

3 weeks ago
4