ବାସୁଦେବପୁର: ଏକ ଘରପୋଡି ମାମଲାର ବିଚାର କରି ଅଦାଲତ ଅଭିଯୁକ୍ତ ଇରମ ଗ୍ରାମର ଯଦୁ ବେହେରାକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୨୦୨୩ ଡିସେମ୍ବର ୧୩ ରାତିରେ ଇରମ ରଥପଦାରେ ପଦ୍ମନାଭ ଦାଶଙ୍କ ଭଡା ସୁତ୍ରରେ ଲାଗିଥିବା ୧୮ଟି ଦୋକାନ ଘରେ ଅଭିଯୁକ୍ତ ଜଣକ ନିଆଁ ଲଗାଇଦେଇଥିଲେ। ଫଳରେ ୧୫ଟି ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିରେ ପ୍ରାୟ ୫୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିଲା।
ରାମଚନ୍ଦ୍ର ବେହେରା ନାମକ ଜଣେ ଦୋକାନୀ କ୍ଷତାକ୍ତ ହୋଇ ବାସୁଦେବପୁର ଡାକ୍ତରଖନାରେ ଚିକିତ୍ସିତ ହୋଇଥିଲେ । ଏହି ଘଟଣାକୁ ନେଇ ଘର ମାଲିକଙ୍କ ପୁଅ କ୍ଷୀରୋଦ ଦାଶ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଶେଷରେ ଅଭିଯୁକ୍ତ ଯଦୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସହକାରୀ ଦୌରାଜଜ ଗୁରୁଚରଣ ଜେନାମଣି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ କମଳାକାନ୍ତ ମହାପାତ୍ର ଓ ଯୁବ ଆଇନଜୀବୀ ନୀରଦକୁମାର ଦାଶ ମାମଲା ପରିଚାଳନା କରିଥିଲେ । ସେହିପରି ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଲକ୍ଷ୍ମୀବ୍ରତ ମଲ୍ଲିକ ମାମଲା ପରିଚାଳନା କରିଥିଲେ।