ଚାଷୀଙ୍କ ଆଶା ଧୂଳିସାତ୍‌: ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ

4 months ago 13
.

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ସରକାରଙ୍କ ବିଭନ୍ନ ଯୋଜନା ଅନୁଯାୟୀ ଗଭୀର ନଳକୂପ ଖନନ କରିଛନ୍ତି। ମାତ୍ର ବର୍ଷବର୍ଷ ଧରି ସେଠାକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଫଳରେ ଗଭୀର ନଳକୂପ କାର୍ଯ୍ୟକ୍ଷମ ହୋଇ ପାରୁ ନଥିବାବେଳେ ଚାଷକାର୍ଯ୍ୟ ନେଇ ଚାଷୀଙ୍କ ଆଶା ମଧ୍ୟ ଧୂଳିସାତ୍‌ ହୋଇ ପଡ଼ିଛି। ଏହାକୁ ନେଇ ସମ୍ପୃକ୍ତ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ମଙ୍ଗଳବାର ଜିଲାର ସୋହେଲା ବ୍ଲକ ରେଙ୍ଗାଲି ପଞ୍ଚାୟତ ବିରିପାଲି ଗ୍ରାମର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହିତ ସେମାନେ ଖୋଲିଥିବା ଗଭୀର ନଳକୂପକୁ ବିଦ୍ୟୁତ୍‌ ସଂଯୋଗ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ୨୦୨୨-୨୩ ଆର୍ଥିକ ବର୍ଷରେ ଉପରୋକ୍ତ ଗ୍ରାମର ଚାଷୀମାନେ ବିଜୁ କୃଷକ ଯୋଜନାରେ ଗଭୀର ନଳକୂପ ଖୋଲିଥିଲେ। ଏଥିପାଇଁ ଆବଶ୍ୟକ କାଗଜାତ୍‌ ସହିତ ଅଗ୍ରୀମ ଦେୟ ମଧ୍ୟ ପଇଠ କରିଥିଲେ। ତେବେ ଗଭୀର ନଳକୂପ ଖୋଲାଗଲା। କିନ୍ତୁ ଏପର୍ଯ୍ୟନ୍ତ ୨ଟି କ୍ଲଷ୍ଟରକୁ ବିଦ୍ୟୁତ ସଂଯୋଗ କରାଯାଇନାହିଁ। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଫେରାଦ ହୋଇ ସେ ନେଇ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ସୁଫଳ ମିଳୁ ନାହିଁ। ଅନ୍ୟପଟେ ସେଠାକୁ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ରୋକଠୋକ୍‌ ମନା କରି ଦେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ନେତୃତ୍ୱରେ ନାରାୟଣ ସାହୁ, ମୋହିତ ସାହୁ, ରାଜକୁମାର ସା, ସାନନ୍ଦ ଭୋଇ, ରଞ୍ଜନ ଭୁଏ, ଛାଲୁ ଭୁଏ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।


Read Entire Article