
ଦାରିଙ୍ଗବାଡି, ୪ା୬ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁ ସମ୍ପୃକ୍ତା ମହିଳାଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ମୃତଦେହ ବ୍ୟବଚ୍ଛେଦରେ ବହୁ ବିଳମ୍ବ ଯୋଗୁ ପରିବାର ଲୋକେ ମୃତଦେହ ଧରି ଚାଲିଚାଲି ୮ କି.ମି. ଦୂର ଗ୍ରାମକୁ ଆସିଥିବା ପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଖବରରୁ ଜଣାପଡିଛି, ସିହାଙ୍ଗବାଲି ପଞ୍ଚାୟତ କାଜୁରିବାଜାରି ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୁନିମା ୬ମାସର ଗର୍ଭବତୀ ଥିଲେ। ସୋମବାର ରାତିରେ ତାଙ୍କର ପେଟ, ବେକ ଓ ଆଖିରେ ବ୍ୟଥା ହେବାରୁ ସୁରେନ୍ଦ୍ର ସ୍ତ୍ରୀଙ୍କୁ ଭୋର ସମୟରେ ଦାରିଙ୍ଗିବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ତାଙ୍କ ସ୍ତ୍ରୀଙ୍କୁ ଇଞ୍ଜେକ୍ସନ ଦେବା ସହ ସାଲାଇନ ଓ ଅକ୍ସିଜେନ ଦେଇଥିଲେ। ତେବେ ଡାକ୍ତର ତାଙ୍କ ପେଟ କାଟୁଥିବାରୁ ପେଟକୁ ଜୋରରେ ଚିପି ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ସ୍ତ୍ରୀ ଭଲ ହେବା ପରିବର୍ତ୍ତେ ଯନ୍ତ୍ରଣାରେ ଛାଟିପିଟି ହୋଇଥିଲେ। କିଛି ସମୟ ପରେ ଡାକ୍ତର ଆସି ସ୍ତ୍ରୀଙ୍କୁ ମୃତ ଘୋଷଣା କରି ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ ବୋଲି ସୁରେନ୍ଦ୍ର କହିଛନ୍ତି। ତେବେ ଚିକିତ୍ସା ସମୟରେ ଡାକ୍ତରଙ୍କୁ ସୁରେନ୍ଦ୍ର ତାଙ୍କ ସ୍ତ୍ରୀ ୬ମାସର ଗର୍ଭବତୀ ଥିବା ଜଣାଇଥିଲେ। ଡାକ୍ତର ତାଙ୍କ ସ୍ତ୍ରୀଙ୍କ ପେଟକୁ ଜୋରରେ ଚିପି ନ ଥିଲେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇ ନ ଥାନ୍ତା ବୋଲି ସୁରେନ୍ଦ୍ର ଅଭିଯୋଗ କରିଛନ୍ତି।
ଖବରପାଇ ଆଇଆଇସି କନକ ମାଝୀ, ଏସ୍ଆଇ ଲକ୍ଷ୍ମୀ ମାଝୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ପଠାଯିବାକୁ ଡାକ୍ତର କହିଥିଲେ ମଧ୍ୟ ଆମ୍ବୁଲାନ୍ସରେ ତେଲ ନାହିଁ, ଷ୍ଟାର୍ଟ ହେଉନାହିଁ ଆଳ ଦେଖାଇ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଦେଇ ନ ଥିଲେ। ଇତି ମଧ୍ୟରେ ଖବରପାଇ ସୁରେନ୍ଦ୍ରଙ୍କ ଗ୍ରାମରୁ ବହୁ ମହିଳା ପୁରୁଷ ଓ ଜନ ପ୍ରତିନିଧି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ସାରିଥିଲେ। ମୃତଦେହ ବ୍ୟବଚ୍ଛେଦ ଓ ରିପୋର୍ଟ ପ୍ରସ୍ତୁତିରେ ବହୁ ବିଳମ୍ବ ହେବାରୁ ପରିବାର ଓ ଗ୍ରାମବାସୀ ଆମେ ଆଉ ମୃତଦେହ ବ୍ୟବଚ୍ଛେଦ କରିବୁନାହିଁ କହି ଡାକ୍ତର ଏବଂ ପୋଲିସର ଅବହେଳାକୁ ଦାୟୀ କରିଥିଲେ। ପରେ ଗ୍ରାମର ମହିଳାମାନେ ସୁନିମାଙ୍କ ମୃତଦେହକୁ କାନ୍ଧରେ ଧରି ଗ୍ରାମ ଅଭିମୁଖେ ବାହାରିଥିଲେ। ସେମାନଙ୍କୁ ପୋଲିସ ବୁଝାଶୁଝା କରିଥିଲେ ମଧ୍ୟ କିଛି ଶୁଣି ନ ଥିଲେ। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍ଚାର୍ଜ ଡା. ଜାକେଶ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଲେ, ଚିକିତ୍ସାରେ କୌଣସି ଅବହେଳା କରାଯାଇନାହିଁ।