ଚିନ୍ତାକଳ୍ପ: ପତନର ହେତୁ

16 hours ago 1
.

ଜୈନ ଧର୍ମର ପ୍ରବର୍ତ୍ତକ ଥିଲେ ଭଗବାନ ମହାବୀର। ଶିଷ୍ୟମାନଙ୍କ ଗହଣରେ ଥିଲାବେଳେ ଏକଦା ସେମାନଙ୍କୁ ପ୍ରଶ୍ନ କରିଥିଲେ- ‘କୁହ ତ ମନୁଷ୍ୟର ପତନର କାରଣ କ’ଣ?’ ଶିଷ୍ୟମାନେ ଦୀର୍ଘ ସମୟ ଧରି ନିଜନିଜ ଭିତରେ ବିଚାରାଲୋଚନା କରି ଅହଂକାର, କାମନାବାସନା, ଅପର ପ୍ରତି ଈର୍ଷା-ଅସୂୟା, ଲୋଭ, କ୍ରୋଧ ଆଦି ପତନର କାରଣ ବୋଲି ମତ ଦେଇଥିଲେ। ସେମାନଙ୍କଠାରୁ ଭିନ୍ନଭିନ୍ନ ମତ ଶୁଣିବା ପରେ ମହାବୀର ଶିଷ୍ୟମାନଙ୍କୁ ପ୍ରଶ୍ନ କରିଥିଲେ- ‘ଧରିନିଅ ମୋ ପାଖରେ ଗୋଟିଏ ଘଟ ଅଛି। ଯଦି ଏହାକୁ ଜଳପୂର୍ଣ୍ଣ କରି ପାଣିରେ ଭସାଇ ଦିଆଯାଏ ଏହା ବୁଡ଼ିବ ନା ଭାସିବ?’ ଶିଷ୍ୟମାନେ ସମ୍ମିଳିତ ଭାବରେ କହିଥିଲେ ବୁଡ଼ିଯିବ। ‘ଯଦି ଏଥିରେ ଛିଦ୍ର କରିଦିଆଯାଏ’- ପ୍ରଶ୍ନ କରିଥିଲେ ମହାବୀର। ‘ତେବେ ଏହି ଛିଦ୍ରବାଟେ ଜଳ ପ୍ରବେଶ କରି କିଛି ସମୟ ଭିତରେ ଘଟକୁ ବୁଡ଼ାଇ ଦେବ। ଛିଦ୍ର କ୍ଷୁଦ୍ର ଥିଲେ ବୁଡ଼ିବା ବିଳମ୍ବ ହେବ, ଛିଦ୍ର ଯଦି ବଡ଼ ଆକାରର ଥାଏ ତେବେ ଖୁବ୍‌ ଶୀଘ୍ର ବୁଡ଼ିଯିବ’- ଶିଷ୍ୟଙ୍କ ଭିତରୁ ଜଣେ କହିଥ‌ି‌େ​‌ଲ।

ମହାବୀର ଶିଷ୍ୟମାନଙ୍କୁ ବୁଝାଇ ଦେଇଥିଲେ- ମାନବ ଜୀବନ ଏହି ଜଳପୂର୍ଣ୍ଣ ଘଟ ସଦୃଶ। ଯଦି ଏହା ଦୁର୍ଗୁଣରୂପୀ ଛିଦ୍ରରେ ଭରିଯିବ ତେବେ ନିଶ୍ଚୟ ଡୁବିଯିବ। ଦୁର୍ଗୁଣ ଅତ୍ୟଧିକ (ସୀମାତିରିକ୍ତ) ହେଲେ ପତନ ଶୀଘ୍ର ହୋଇଥାଏ। ମନେରଖ, ଯାହାଙ୍କଠାରେ ଦୁର୍ଗୁଣରୂପୀ ଛିଦ୍ର ଅଛି ତାଙ୍କର ପତନ ଅବଶ୍ୟମ୍ଭାବୀ। କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଈର୍ଷା, ଅସୂୟା, ପରନିନ୍ଦା ଆଦି କୁପ୍ରବୃତ୍ତି ମଧ୍ୟରେ କୌଣସି ଭେଦା ଭେଦ ନାହିଁ। ପ୍ରତ୍ୟେକ ଏକଏକ ଦୁର୍ଗୁଣ। ଯେ କୌଣସି ବ୍ୟକ୍ତି (ମହାନ୍‌ ହେଲେ ସୁଦ୍ଧା)ଙ୍କ ଜୀବନକୁ ବରବାଦ୍‌ କରିବାରେ ଏହି ଦୁର୍ଗୁଣର ପର୍ଯ୍ୟାପ୍ତ ଶକ୍ତି ରହିଛି। ଏହାର କବଳିତ ହେଲେ ବ୍ୟକ୍ତିର ବିଚାରବୋଧ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ।

ସାଧାରଣରେ ତାଙ୍କର ବିଶ୍ବସନୀୟତାକୁ ପୂର୍ଣ୍ଣମାତ୍ରାରେ ଲୋପ କରିଦେଇଥାଏ। କଇଁଛ ବାହ୍ୟ ବିପଦର ଆଶଙ୍କା କଲେ କିମ୍ବା କାହାର ସ୍ପର୍ଶ ଅନୁଭବ କଲେ ବାହାରକୁ ଦୃଶ୍ୟମାନ ଗୁରୁତ୍ବପୂର୍ଣ୍ଣ ଅଙ୍ଗ (ବେକ, ମୁହଁ) ଟାଣ ଖୋଳପା ଭିତରେ ଲୁଚାଇ ଦେଇଥାଏ। ଯେତେ ଏପଟସେପଟ, ଏପରି କି ବାହ୍ୟ ଅଂଶରେ ଆଘାତ ଦେଲେ ବି ଆଦୌ ପ୍ରତିକ୍ରିୟା ପ୍ରକାଶ ନକରି ବେକକୁ ଲୁଚାଇ ରଖିଥାଏ। ଫଳତଃ ଏହା ବାହ୍ୟ ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖିଥାଏ। ସମଗ୍ର ମାନବ ଜାତି ପାଇଁ ଏହା ଆଦର୍ଶର ପ୍ରତୀକ। କାମ, କ୍ରୋଧ, ଲୋଭ, ମୋହ ଆଦି ଦୁର୍ଗୁଣ ଯେତେ ପ୍ରଲୋଭିତ କଲେ ମଧ୍ୟ ଏହା ପ୍ରଭାବରୁ ନିଜକୁ ମୁକ୍ତ ରଖିପାରିଲେ ଏହାର ବାରମ୍ବାର ଆମନ୍ତ୍ରଣରୁ ନିଜକୁ ସୁରକ୍ଷିତ ରଖିପାରିଲେ ଦୁର୍ଗୁଣରୂପୀ ଛିଦ୍ର ମିଣଷରୂପୀ ଘଟକୁ ବୁଡ଼ାଇ ପାରିବନି ଅର୍ଥାତ୍‌ ପତନରୁ ନିଜକୁ ସୁରକ୍ଷିତ ରଖିପାରିବ ଠିକ୍‌ କଇଁଛ ଭଳି।

Read Entire Article