ଜିତୁ ମୁଣ୍ଡାଙ୍କ କାହାଣୀକୁ ନେଇ ହେବ ଚଳଚ୍ଚିତ୍ର, ଚୁକ୍ତିକଲେ ନିର୍ଦ୍ଦେଶକ ଅଶୋକ ପତି

1 day ago 1
.

ପାଟଣା,୧୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ମୃତ ଭଉଣୀ କାଲାରାଙ୍କ ନାମରେ ଥିବା ଟଙ୍କା ଉଠାଇବା ଲାଗି ପ୍ରମାଣ ଦେବାକୁ ଯାଇ ବ୍ୟାଙ୍କକୁ କଙ୍କାଳ ବୋହି ନେଇଥିଲେ। ଏହି ଘଟଣା ବହୁ ଚର୍ଚ୍ଚିତ ହୋଇଥିଲା। ପରେ ସରକାର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜିତୁଙ୍କ ପାଖକୁ ସହାୟତାର ସୁଅ ଛୁଟିଥିଲା। ଏଭଳିସ୍ଥଳେ ଜିତୁ ମୁଣ୍ଡାଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବା ନେଇ ସୂଚନା ମିଳିଛି। ବୁଧବାର ଜିତୁଙ୍କୁ ଜଣାଶୁଣା ଓଡ଼ିଆ ସିନେ ନିର୍ଦ୍ଦେଶକ ଅଶୋକ ପତି ଭେଟି ଚୁକ୍ତି କରିଛନ୍ତି।
ପ୍ରକାଶ ଯେ, ଅଶୋକ ପତି ଦୀର୍ଘ ୩ ଘଣ୍ଟା ଜିତୁଙ୍କ ସହ ଉକ୍ତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଜିତୁଙ୍କ ଜୀବନ ଯୁଦ୍ଧରେ ଯାହା କିଛି ଘଟିଗଲା, ତାହା ଆମ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଉଦ୍‌ବେଳିତ କରିଛି। ଜିତୁଙ୍କ ଜୀବନରେ ସେ ଦେଖିବାକୁ ପାଇଲେ ଯେ, ଶିକ୍ଷା ଜଣେ ଲୋକ ପାଇଁ ଅତ୍ୟାବଶ୍ୟକ। ଶିକ୍ଷା ହିଁ ମନୁଷ୍ୟ ଜୀବନର ଭବିଷ୍ୟତକୁ ଗଠନ କରିବ। ଏଥିସହ ଆଧୁନିକ ଡିଜିଟାଇଜେଶନ ତଳସ୍ତରରେ ଥିବା ଲୋକଙ୍କ ନିକଟରେ କିଭଳି ପହଞ୍ଚତ୍ପାରିବ ଏସବୁ ଜିନିଷକୁ ଦେଖି ଫିଲ୍ମ ନିର୍ମାଣ କରାଯାଇପାରିବ। ଏ ନେଇ ସେ କୌଣସି ନିଷ୍କର୍ଷରେ ପହଞ୍ଚତ୍ ନାହାନ୍ତି।

ଜିତୁଙ୍କ ଥିମ୍‌କୁ ନେଇ ଫିଲ୍ମଟିଏ କରିବାକୁ ଚିନ୍ତା କରୁଥିବା ସେ କହିଥିଲେ। ଅନ୍ୟପକ୍ଷରେ ଜିତୁଙ୍କ ସହ ଫିଲ୍ମ କରିବା ନେଇ ନିର୍ଦ୍ଦେଶକ ଅଶୋକ ପତି ଏକ ଚୁକ୍ତି ପାଟଣା ନୋଟାରି ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ କରାଇଥିବା ଆଇନଜୀବୀ ରାହାସ ବିହାରୀ ପୃଷ୍ଟି କହିଛନ୍ତି। ଚୁକ୍ତି ବେଳେ ନିର୍ଦ୍ଦେଶକ ପତି ଓ ଜିତୁଙ୍କ ସହ ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ସମବାୟବିତ୍‌ ଦୀନବନ୍ଧୁ ମିଶ୍ର ଉପସ୍ଥିତ ଥିଲେ। ଏଥିପାଇଁ ଅଶୋକ ପତି ଜିତୁଙ୍କୁ ପାଟଣାସ୍ଥିତ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରେ ଅଗ୍ରିମ ୧ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଶୁଟିଂ ସରିଲେ ୫୦ହଜାର ଓ ଫିଲ୍ମ ରିଲିଜ ବେଳେ ବାକି ୫୦ହଜାର ଲେଖାଏ ୨ଟି କିସ୍ତିରେ ପ୍ରଦାନ କରିବେ ବୋଲି ଚୁକ୍ତିରେ ଉଲ୍ଲେଖ ହୋଇଛି।

Dharitri – Odisha’s No.1 Odia Daily


Read Entire Article