Gold Purchase: ଭାରତରେ ସୁନା କେବଳ ଏକ ଅଳଙ୍କାର ନୁହେଁ ବରଂ ଏହାକୁ ସବୁଠାରୁ ନିରାପଦ ନିବେଶ ଭାବେ ଗ୍ରହଣ କରାଯାଏ। କିନ୍ତୁ ନିକଟରେ ସୁନା କିଣାବିକାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ, ଜଣେ ବ୍ୟକ୍ତି କେତେ ପରିମାଣର ସୁନା ରଖିପାରିବେ କିମ୍ବା କିଣିପାରିବେ, ସେ ନେଇ ଆୟକର ବିଭାଗର କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି ।
ସୁନା କିଣିବାର କୌଣସି ସୀମା ଅଛି କି?
ଭାରତୀୟ ଆଇନ ଅନୁଯାୟୀ, ଜଣେ ବ୍ୟକ୍ତି କେତେ ପରିମାଣର ସୁନା କିଣିବେ, ସେଥିପାଇଁ କୌଣସି ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇ ନାହିଁ। ଆପଣ ଚାହିଁଲେ କିଲୋଗ୍ରାମ ହିସାବରେ ସୁନା କିଣିପାରିବେ, କିନ୍ତୁ ଏଥିପାଇଁ ଆପଣଙ୍କ ପାଖରେ ଆୟର ବୈଧ ପ୍ରମାଣ ଏବଂ ଅର୍ଥର ଉତ୍ସ ରହିବା ଆବଶ୍ୟକ।
ନଗଦ କାରବାର ଉପରେ କଟକଣା
ସୁନା କିଣିବା ସମୟରେ ନଗଦ କାରବାର ଉପରେ କଡ଼ା ନିୟମ ଲାଗୁ ହୋଇଥାଏ । ଆୟକର ଅଧିନିୟମର ଧାରା ୨୬୯ST ଅନୁଯାୟୀ, ଗୋଟିଏ ଦିନରେ ୨ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ନଗଦ କାରବାର କରିବା ନିଷେଧ। ତେଣୁ ଯଦି ଆପଣ ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା କିଣୁଛନ୍ତି, ତେବେ ଆପଣଙ୍କୁ ଡିଜିଟାଲ୍ ପେମେଣ୍ଟ, ଚେକ୍ କିମ୍ବା ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଟଙ୍କା ଦେବାକୁ ପଡ଼ିବ। ତେବେ ୨ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ସୁନା କିଣିବା ପାଇଁ ଆପଣ ନଗଦ ଟଙ୍କା ଦେଇପାରିବେ।
କେବେ ଜରୁରୀ ପାନ୍ କିମ୍ବା କେୱାଇସି
କଳାଧନ କାରବାରକୁ ରୋକିବା ପାଇଁ ସରକାର କେୱାଇସି ନିୟମକୁ କଡ଼ାକଡ଼ି କରିଛନ୍ତି । ଯଦି ସୁନା କିଣାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ କ୍ରେତାଙ୍କୁ ପାନ୍ କାର୍ଡ କିମ୍ବା ଅନ୍ୟାନ୍ୟ ବୈଧ ପରିଚୟ ପତ୍ର ଦେବା ବାଧ୍ୟତାମୂଳକ। ଆପଣ ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ କଲେ ମଧ୍ୟ ଏହି ଦସ୍ତାବିଜ ଦେବାକୁ ପଡ଼ିବ।
ଡିଜିଟାଲ୍ ଗୋଲ୍ଡ ଏବଂ ସଭରେନ୍ ଗୋଲ୍ଡ ବଣ୍ଡ୍
- ଡିଜିଟାଲ୍ ଗୋଲ୍ଡ: ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଆଇନଗତ ସୀମା ନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ପ୍ଲାଟଫର୍ମ ଦୈନିକ ପ୍ରାୟ ୨ ଲକ୍ଷ ଟଙ୍କାର କାରବାର ସୀମା ରଖିଥାନ୍ତି।
- ସଭରେନ୍ ଗୋଲ୍ଡ ବଣ୍ଡ୍: ସରକାରୀ ଗୋଲ୍ଡ ବଣ୍ଡ୍ରେ ଜଣେ ନିବେଶକ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୪ କିଲୋଗ୍ରାମ ସୁନା ବରାବର ବଣ୍ଡ୍ କିଣିପାରିବେ।
ସୁନା କିଣିବା ସମୟରେ ସବୁବେଳେ ପକ୍କା ବିଲ୍ ନେବା ସହ ନିୟମ ମାନି କାରବାର କଲେ ଭବିଷ୍ୟତରେ କୌଣସି ଆଇନଗତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

3 weeks ago
4