ଚିକେନଫକ୍ସ ଅଥବା ହାଡଫୁଟିର ଦାଗ ଶରୀରରେ ଗଭୀର ଭାବରେ ପଡେ । ଭଲ କଥା ଏହା ଯେ, ସଠିକ ଉପଚାର ଏବଂ ପ୍ରାକୃତିକ ଉପାୟ ମାଧ୍ୟମରେ ଏହି ଦାଗ ଧିରେ ଧିରେ କମିଯାଇଥାଏ ।
ଭୁବନେଶ୍ୱର: ଚିକେନପକ୍ସ, ଯାହାକୁ ସାଧାରଣ ଭାଷାରେ ‘ହାଡ଼ଫୁଟି’ ବୋଲି କୁହାଯାଏ, ଏହା ‘ଭେରିସେଲା-ଜୋଷ୍ଟର’ ଭୂତାଣୁ ଯୋଗୁଁ ହେଉଥିବା ଏକ ଅତି ସଂକ୍ରାମକ ରୋଗ। ଏଥିରେ ଶରୀରରେ ଫୋଟକା ବା ବାହାରିଥାଏ। ଏହା ସହିତ ଏହି କାଛୁକୁଣ୍ଡିଆରେ ଯନ୍ତ୍ରଣା ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଦିଏ।
ଚିକେନପକ୍ସ ହେଲେ ସାମାନ୍ୟ ଜ୍ୱର, କ୍ଲାନ୍ତି, ମୁଣ୍ଡବିନ୍ଧା ଏବଂ ଭୋକ ନଲାଗିବା ଭଳି ଲକ୍ଷଣ ଦେଖାଯାଏ। ଏହା ଏକ ସଂକ୍ରାମକ ବେମାରୀ, ଯାହା ଜଣେ ରୋଗୀଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଚିକେନପକ୍ସ ହେବା ପରେ ଏହାର ଦାଗ ଶରୀରରେ ବହୁତ ସମୟ ପର୍ଯ୍ୟନ୍ତ ରହିଯାଏ। ଏହି ଦାଗକୁ କମାଇବା ପାଇଁ ଲୋକମାନେ ଅନେକ ପ୍ରକାରର ଉପାୟ କରିଥାନ୍ତି।
କିନ୍ତୁ ହୁଏତ ଆପଣ ଜାଣି ନଥିବେ ଯେ କିଛି ସହଜ ଘରୋଇ ଉପଚାର ଆପଣାଇ ଆପଣ ଏହି ଦାଗକୁ ଅନେକାଂଶରେ କମ କରିପାରିବେ। ଏଠାରେ ଆମେ ଆପଣଙ୍କୁ କିଛି ସହଜ ଘରୋଇ ନୁସଖା ବିଷୟରେ କହିବାକୁ ଯାଉଛୁ, ଯାହା ଚିକେନପକ୍ସ ଦାଗ ଦୂର କରିବାରେ ସହାୟକ ହୋଇପାରେ।
ଏଲୋଭେରା ଜେଲ୍ରେ ପ୍ରାକୃତିକ ଆରୋଗ୍ୟ ଗୁଣ ରହିଥାଏ, ଯାହା ଚର୍ମର ମରାମତି କରିବାରେ ସାହାଯ୍ୟ କରେ। ଏହା ଦାଗ ହୋଇଥିବା ସ୍ଥାନକୁ ଥଣ୍ଡା ରଖିବା ସହ ଶରୀରରେ କୋଲାଜେନ୍ର ମାତ୍ରା ବଢ଼ାଇଥାଏ। ତାଜା ଏଲୋଭେରା ଜେଲ୍କୁ ଦାଗ ଉପରେ ଲଗାଇ ଶୁଖିବାକୁ ଛାଡ଼ିଦିଅନ୍ତୁ ଏବଂ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦିନକୁ ୨-୩ ଥର ଏହାକୁ ବ୍ୟବହାର କଲେ ଭଲ ଫଳ ମିଳିଥାଏ। ସେହିପରି ନଡ଼ିଆ ତେଲରେ ଫ୍ୟାଟି ଏସିଡ୍ ଥାଏ ଯାହା ଚର୍ମକୁ ଗଭୀର ଭାବରେ ମଶ୍ଚରାଇଜ୍ କରେ ଏବଂ ନୂଆ କୋଷ ତିଆରିରେ ସାହାଯ୍ୟ କରେ। ଶୁଦ୍ଧ ନଡ଼ିଆ ତେଲକୁ ଦାଗ ଉପରେ ହାଲୁକା ଭାବେ ମସାଜ୍ କରି ରାତିସାରା ଛାଡ଼ିଦିଅନ୍ତୁ, କିଛି ଦିନ ମଧ୍ୟରେ ଆପଣ ପରିବର୍ତ୍ତନ ଦେଖିପାରିବେ।
ମହୁ ଏବଂ ଲେମ୍ବୁର ମିଶ୍ରଣ ମଧ୍ୟ ଦାଗ ଦୂର କରିବାରେ ଖୁବ୍ ପ୍ରଭାବଶାଳୀ। ମହୁ ଚର୍ମକୁ ହାଇଡ୍ରେଟ୍ କରୁଥିବା ବେଳେ ଲେମ୍ବୁ ଏକ ପ୍ରାକୃତିକ ବ୍ଲିଚିଂ ଏଜେଣ୍ଟ ଭାବରେ କାମ କରି ଦାଗକୁ ହାଲୁକା କରିଥାଏ। ଚାମଚେ ମହୁରେ କିଛି ଟୋପା ଲେମ୍ବୁ ରସ ମିଶାଇ ଦାଗ ସ୍ଥାନରେ ୧୫-୨୦ ମିନିଟ୍ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ। ଯଦି ଆପଣଙ୍କ ଚର୍ମ ଅଧିକ ସ୍ପର୍ଶକାତର (Sensitive), ତେବେ କେବଳ ମହୁ ବ୍ୟବହାର କରନ୍ତୁ। ଏହା ବ୍ୟତୀତ ଭିଟାମିନ୍ ଇ ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଭାବେ କାମ କରେ। ଭିଟାମିନ୍ ଇ ତେଲ ଲଗାଇବା ଦ୍ୱାରା ଚର୍ମର ଫୁଲା କମିବା ସହ ଦାଗ ଶୀଘ୍ର ଭଲ ହୋଇଥାଏ। ଏହା ଚର୍ମକୁ ଆବଶ୍ୟକୀୟ ପୋଷଣ ଦେଇ ଦାଗଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବାରେ ସାହାଯ୍ୟ କରେ।

6 days ago
4