- ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରାଯିବ
ସମାଜ ଡିଜିଟାଲ: ଚିନ୍ତା କରନାହିଁ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି। ସବୁ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ। ଏଥିପାଇଁ ଓଡ଼ିଶା ସରକାର ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବେ। ସୋମବାର ସଂଧ୍ୟାରେ ଦୁର୍ଗାପୁରରେ ଚିକିତ୍ସାଧୀନ ଗଣବଳାତ୍କାର ପୀଡିତାଙ୍କ ସହ ଫୋନ୍ରେ କଥା ହୋଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସମୟରେ ଶ୍ରୀ ମାଝୀ ପୀଡିତାଙ୍କ ପିତା, ମାତାଙ୍କ ସହ ମଧ୍ୟ କଥା ହୋଇ ସହଯୋଗର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।
ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିଲେ ଯେ ଝିଅ ଯେପରି ଶୀଘ୍ର ସୁସ୍ଥ ହେବ ଏବଂ ସ୍ବାଭାବିକ ଜୀବନ ଯାପନ କରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବ, ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ମହିଳା ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହ ଫୋନ୍ରେ କଥା ହୋଇ, ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷା କରିବା କରି ଝିଅକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହିତ, ଚାପ ସୃଷ୍ଟି କରିବା ପାଇଁ ସବୁ ଫୋରମ୍ ର ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।