ନୂଆଦିଲ୍ଲୀ ,୧୩/୧୦/୨୫: ୭୦ତମ ଫିଲ୍ମଫେୟାର ପୁରସ୍କାରରେ ‘ଲାପତା ଲେଡିଜ୍’ର ଦବ୍ଦବା ରହିଥିଲା । ଫିଲ୍ମଟି ମୋଟ ୧୩ଟି ପୁରସ୍କାର ପାଇଛି । ନାରୀ ସଶକ୍ତୀକରଣର ବାର୍ତ୍ତା ପ୍ରଦାନ କରୁଥିବା ଏହି ହୃଦୟସ୍ପର୍ଶୀ ସିନେମାଟି ଶ୍ରେଷ୍ଠ ଫିଲ୍ମ ପୁରସ୍କାର ହାତେଇଛି । କିରନ୍ ରାଓ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ।
ସେହିପରି ଏଥିପାଇଁ ନିତାଂଶୀ ଗୋୟଲଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତ୍ରୀ, ପ୍ରତିଭା ରାଣ୍ଟାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ(କ୍ରିଟିକ୍ସ ଚଏସ୍), ରବି କିଶନ୍ଙ୍କୁ ଶ୍ରେଷ୍ଠ ସହ ଅଭିନେତା ଓ ଛାୟା କଦମ୍ଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ମିଳିଛି । ଅରିଜିତ୍ ସିଂହ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ହାତେଇଛନ୍ତି । ଶ୍ରେଷ୍ଠ ମ୍ୟୁଜିକ୍ ଆଲବମ୍ ପୁରସ୍କାର ରାମ ସମ୍ପତଙ୍କୁ ଯାଇଛି । ଏହାଛଡ଼ା ଏଡିଟିଂ, କଷ୍ଟ୍ୟୁମ ଓ ବ୍ୟାକ୍ଗ୍ରାଉଣ୍ଡ ସ୍କୋର ଭଳି ଟେକ୍ନିକାଲ ବିଭାଗରେ ବି ଫିଲ୍ମକୁ ପୁରସ୍କାର ମିଳିଛି ।
‘ଲାପତା ଲେଡିଜ୍’ର କାହାଣୀ ଛୋଟ ସହରରେ ରହୁଥିବା ଦୁଇଜଣ ମହିଳାଙ୍କ ଉପରେ କେନ୍ଦ୍ରୀଭୂତ । ସମୟଚକ୍ରରେ ସେମାନେ ପରିବାରଠାରୁ ଅଲଗା ହୋଇଯାଇଥିବାବେଳେ ପରିସ୍ଥିତି ଆଗରେ କିନ୍ତୁ ହାର୍ ମାନିନାହାନ୍ତି । ସମସ୍ୟାକୁ ସୁଯୋଗରେ ପରିଣତ କରି ନିଜକୁ ସଶକ୍ତ କରିଛନ୍ତି ।