ଭୁବନେଶ୍ୱର, ୧୪।୫: ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ସରିଯାଇଥିବାରୁ ‘ନୋ ଷ୍ଟକ୍’ ବୋର୍ଡ ଲଗାଯାଇ ପମ୍ପଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଏଭଳି ସ୍ଥିତିରେ ଯେଉଁ କେତେକ ସୀମିତ ପେଟ୍ରୋଲ ପମ୍ପ ଖୋଲା ରହିଛି, ସେଠାରେ ଗ୍ରାହକଙ୍କର ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି । ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ଆଜି ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଲୋକଙ୍କୁ ପ୍ରାୟ ଦେଢ଼ରୁ ଦୁଇ ଘଣ୍ଟା କାଳ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡୁଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଯାଇ ଲୋକଙ୍କୁ ତେଲ ମିଳୁଛି।
ଯଦି ଶୀଘ୍ର ତେଲ ଯୋଗାଣ ସ୍ୱାଭାବିକ ନହୁଏ, ତେବେ ଆଗାମୀ ଦିନରେ ସହରର ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯିବା ଆଶଙ୍କା କରାଯାଉଛି। ସେପଟେ ଏହି ସବୁ କଥାକୁ ଗୁଜବ କହିଛନ୍ତି ଘରୋଇ ପେଟ୍ରୋଲ ଡିଲର ସଂଘ ସମ୍ପାଦକ। ଘରୋଇ ପେଟ୍ରୋଲ ଡିଲର ସଂଘ ସମ୍ପାଦକ ସଞ୍ଜୟ ଲାଠଙ୍କ ବଡ଼ ସୂଚନା। କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ଆଦୌ ଭିଡ଼ କରନ୍ତୁ ନାହିଁ। ତୈଳ ସଙ୍କଟ କଥା କେବଳ ଏକ ଗୁଜବ। ଆମ ପାଖରେ ୪୦ ଦିନର ତୈଳ ମହଜୁଦ ଅଛି। ପ୍ରଧାନମନ୍ତ୍ରୀଙ୍କ କଥାକୁ ଭିନ୍ନ ରୂପ ଦିଆଯାଇଛି। ଆମ ରାଜ୍ୟରେ ତୈଳ ସଙ୍କଟ ସ୍ଥିତି ନାହିଁ ବୋଲି ସେ କହିଛନ୍ତି।
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦେଖାଦେଲାଣି ପେଟ୍ରୋଲ ଡିଜେଲ ସଂକଟ । ତେଲ ନଥିବାରୁ କିଛି କିଛି ସ୍ଥାନରେ ବନ୍ଦ ହୋଇଗଲାଣି ପେଟ୍ରୋଲ ପମ୍ପ । ଏକାଧିକ ପେଟ୍ରୋଲ ପମ୍ପରେ ବାଇକ ପିଛା ୨୦୦ଟଙ୍କା ଓ କାର ପିଛା ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ ଦେବାକୁ ହୋଇଛି କଟକଣା । ଏହାରି ଭିତରେ ଇଭି ଗାଡ଼ି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ।

23 hours ago
1