ଖାଦ୍ୟ ଇତିହାସକୁ ଦେଖିବାକୁ ଗଲେ ‘ପୁଲାଓ’ ଶବ୍ଦଟି ପାର୍ସୀରୁ ଆସିଛି। ତଥାପି ସାଧୁମାନେ ଏହି ଖାଦ୍ୟରୁ ମୁସଲିମ୍ ମୂଳର ପରିଚୟକୁ ହଟାଇବେ ବୋଲି କହୁଛନ୍ତି
ହରିଦ୍ୱାର: ଧର୍ମ ନଗରୀ ହରିଦ୍ୱାରରେ ଭେଜ ବିରିୟାନୀକୁ ନେଇ ମହା ସଂଗ୍ରାମ। ସାଧୁ ଓ ସନ୍ଥମାନେ ଭେଜ ବିରିୟାନୀକୁ ବ୍ୟାନ୍ କରିଛନ୍ତି। ‘ଭେଜ ବିରିୟାନୀ’ ବଦଳରେ ‘ଭେଜ୍ ପୋଲାଓ’ ଲେଖିବାକୁ ଅପିଲ କରିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ମହାକୁମ୍ଭ ପୂର୍ବରୁ ସାଧୁସନ୍ଥଙ୍କ ଏପରି ଉଦ୍ୟମକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଭେଜ ବିରିୟାନୀ ବଦଳରେ ପୋଲାଓ କାହିଁକି ଲେଖାଯିବ? ଖାଦ୍ୟ ଇତିହାସକୁ ଦେଖିବାକୁ ଗଲେ ‘ପୁଲାଓ’ ଶବ୍ଦଟି ପାର୍ସୀରୁ ଆସିଛି। ତଥାପି ସାଧୁମାନେ ଏହି ଖାଦ୍ୟରୁ ମୁସଲିମ୍ ମୂଳର ପରିଚୟକୁ ହଟାଇବେ ବୋଲି କହୁଛନ୍ତି। ଏହି ପବିତ୍ର ସହରରେ ଦୀର୍ଘ ଦିନରୁ ଖାଦ୍ୟପେୟର ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଛି।
୧୯୧୬ ମସିହାରେ ‘ହର କି ପୌଡ଼ି’ର ପାଞ୍ଚ କିଲୋମିଟର ମଧ୍ୟରେ ଆମିଷ ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଚଳିତବର୍ଷ ଆରମ୍ଭରେ ପୌରପାଳିକା କର୍ତ୍ତୃପକ୍ଷ ଏହି ନିଷେଧାଦେଶକୁ ଅନଲାଇନ୍ ଡେଲିଭରି ପର୍ୟ୍ୟନ୍ତ ସୀମିତ ରଖିଥିଲା। ବର୍ତ୍ତମାନ ପୋଲିସ ଓ ସାଧୁମାନେ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରୁଛନ୍ତି। ବିକ୍ରେତାମାନଙ୍କୁ ସେମାନଙ୍କର ଭାତ ଓ ସୋୟାବିନ୍ ମିଶ୍ରିତ ଖାଦ୍ୟର ନାମ ବଦଳାଇବାକୁ ଦାବି କରୁଛନ୍ତି। ଏପରିକି ବିରିୟାନୀ ପ୍ୟାକେଟ୍ରେ ପୋଲାଓ ଷ୍ଟିକର ମରାଯାଉଥିବା ଦେଖିବାକୁ ମିଳିଛି।
ସେପଟେ ଦେଖିବାକୁ ଗଲେ ଭେଜ ବିରିୟାନୀ ଓ ପୋଲାଓ ପ୍ରସ୍ତୁତି ପ୍ରଣାଳୀ ସମାନ। କେବଳ ନାମ ବଦଳିଛି। ଶନିବାର ଚଢ଼ାଉ ପରେ ଜଣେ ଦୋକାନୀ ନିଜର ବ୍ୟାନର ବଦଳାଇଥିବା ବେଳେ କହିଛନ୍ତି, ବିରିୟାନୀ ଶବ୍ଦଟି ମୁସଲିମ୍ ଭଳି ଶୁଣାଯାଉଛି। ପୁଲାଓ ଠିକ୍ ଅଛି।
ଏନେଇ ଅଖଣ୍ଡ ପର୍ଶୁରାମ ଆଖଡ଼ାର ଅଧ୍ୟକ୍ଷ କହିଛନ୍ତି, ହରିଦ୍ୱାରରେ ଅନେକ ସ୍ଥାନରେ ଭେଜ୍ ପୁଲାଓକୁ ଭେଜ୍ ବିରିୟାନୀ ନାମରେ ବିକ୍ରି କରାଯାଉଛି। ହରିଦ୍ୱାର ଏକ ଧର୍ମନଗରୀ ଅଟେ। ଆସନ୍ତା ବର୍ଷ ୨୦୨୭ରେ ଏଠାରେ ମହାକୁମ୍ଭ ମଧ୍ୟ ଆୟୋଜିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଧାର୍ମିକ ଓ ସାଂସ୍କୃତିକ ମର୍ୟ୍ୟାଦା ରକ୍ଷା କରିବା ପାଇଁ ଦୋକାନୀମାନେ ନିଜ ଠେଲାଗାଡ଼ିରେ ଭେଜ୍ ବିରିୟାନୀ ନୁହେଁ, ବରଂ ଭେଜ୍ ପୁଲାଓ ଲେଖନ୍ତୁ ବୋଲି ସେ କହିଛନ୍ତି।

6 days ago
2