ନୂଆଦିଲ୍ଲୀ ୧୫।୧୦; ରିଷଭ ସେଟ୍ଟୀଙ୍କ ‘କାନ୍ତାରା ଚାପ୍ଟର ୧’ ବକ୍ସ ଅଫିସରେ ଧମାଲ ମଚାଉଛି । କୋଟି କୋଟି ଟଙ୍କା ରୋଜଗାର କରୁଛି । ପୂର୍ବ ସିନେମା କାନ୍ତାରା ପରି ଚଳିତଥର ମଧ୍ୟ ସିନେମାର ମୁଖ୍ୟ ଅଭିନେତା ରିଷଭ ସେଟ୍ଟୀ ଦର୍ଶକଙ୍କୁ ନିଜ ଜୀବନ୍ତ ଅଭିନୟ ଦ୍ବାରା ପ୍ରଭାବିତ କରିଛନ୍ତି । ଲୋକମାନେ ତାଙ୍କ ଅଭିନୟକୁ ପସନ୍ଦ କରିବା ସହ ଭୁରି ଭୁରି ପ୍ରଶଂସା ମଧ୍ୟ କରୁଛନ୍ତି । ରିଷଭଙ୍କ ସହ ଅନ୍ୟ କଳାକାରଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି । ମୁଭିରେ କମେଡିର ତଡ଼କା ଲଗାଇଥିବା ଅଭିନେତା ରାକେଶ ପୂଜାରୀଙ୍କ ଅଭିନୟକୁ ଦେଖି ପ୍ରେକ୍ଷାଳୟରେ ସିନେପ୍ରେମୀ ଖୁବ୍ ହସିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ସମସ୍ତଙ୍କୁ ହସାଇଥିବା ଏହି କଳାକାର ନିଜେ ଏହି ସିନେମାକୁ ଦେଖିପାରିଲେ ନାହିଁ । କାରଣ ସିନେମା ରିଲିଜ୍ ହେବା ପୂର୍ବରୁ ହିଁ ରାକେଶ ଏ ଦୁନିଆକୁ ଅଲବିଦା କହିଥିଲେ ।
ସୂଚନା ଅନୁସାରେ କାନ୍ତାରା ଚାପ୍ଟର ୧ ର ସୁଟିଂ ସମୟରେ ଅନେକ ଅଭିନେତା ଏବଂ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଅଭିନେତା ରାକେଶ ପୂଜାରୀ । କିନ୍ତୁ ରାକେଶ ଫିଲ୍ମ ସେଟରେ ମୃତ୍ୟୁବରଣ କରିନଥିଲେ । ସେ ୧୧ ମେ ୨୦୨୫ ରେ ଜଣେ ନିକଟତମ ବନ୍ଧୁଙ୍କ ବିବାହ ମେହେନ୍ଦି ସମାରୋହରେ ଯୋଗ ଦେଇଥିଲେ । ସେଠାରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା ।
ମାତ୍ର ୩୪ ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଥିଲେ ।ତାଙ୍କର ବିୟୋଗରେ କାନ୍ତାରା ସଦସ୍ୟଙ୍କ ସମେତ ପୂରା କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା । ରାକେଶ ତାଙ୍କର ପ୍ରଥମ ଏବଂ ସବୁଠାରୁ ଲୋକପ୍ରିୟ କନ୍ନଡ ଶୋ "କମେଡି ଖଲାଡିଗାଲୁ"ର ଦ୍ୱିତୀୟ ସିଜିନ୍ ସହିତ ପରିଚିତି ହାସଲ କରିଥିଲେ । ରାକେଶ ସିନା ଆଉ ଏ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କର ଅଭିନୟ ସବୁବେଳେ ଦର୍ଶକଙ୍କ ମନରେ ତାଙ୍କୁ ଜୀବନ୍ତ କରି ରଖିଥିବ ।