ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲାରୁ ମୌସୁମି ବିଦାୟ ନେଇଛି। ଆଜି ରାଜ୍ୟରୁ ସମ୍ପୂର୍ଣ୍ଣ ମୌସୁମି ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ଦୁଇଦିନ ମଧ୍ୟରେ ମୌସୁମୀ ବାୟୁ ଦେଶର ଆଉ କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି।
ଅନ୍ୟପଟେ ଚଳିତ ମାସ ଶେଷ ଆଡ଼କୁ ଆରବସାଗର ଏବଂ ବଙ୍ଗୋପସାଗରରେ ଗୋଟିଏ ଲେଖାଏଁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି କିଛି ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ସମ୍ଭାବ୍ୟ ଲଘୁଚାପର ପ୍ରଭାବ କ’ଣ ରହିବ, କେଉଁ ଆଡ଼କୁ ଗତି କରିବ, କେଉଁ ରାଜ୍ୟ ଉପରେ ଅଧିକ ପ୍ରଭାବ ପଡ଼ିବ ଏବଂ କେତେଦୂର ଘନୀଭୂତ ହେବ ତାହା ସ୍ପଷ୍ଟ କରାଯାଇ ନାହିଁ।
ସୋମବାର ଜି ମାଲକାନଗିରି ଜିଲାର କିଛି ଜାଗାରେ କାଁ ଭାଁ ବର୍ଷା ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଏବେ ରାଜ୍ୟରେ ହାଲୁକା ଶୀତ ଅନୁଭୂତ ହେଉଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହରୁ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି।