ଅଗ୍ନିମିତ୍ରା ପାଲ ‘କୋଇ ମେରା ଦିଲ ସେ ପୁଛେ’ ଓ ‘ଭାୟା ଦାର୍ଜିଲିଂ’ ଭଳି ଅନେକ ବଲିଉଡ ଫିଲ୍ମ ପାଇଁ ପୋଷାକ ଡିଜାଇନ କରିଛନ୍ତି
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ଘୋଷଣା ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଫାୟାର ବ୍ରାଣ୍ଡ ନେତ୍ରୀ ଅଗ୍ନିମିତ୍ର ପଲ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଅଗ୍ନିମିତ୍ର ପଲ କିଏ? ମିଳିଥିବା ସୂଚନା ଅନୁସାରେ ଅଗ୍ନିମିତ୍ର ପଲ ହେଉଛନ୍ତି ଜଣେ ଜଣାଶୁଣା ଫେସନ୍ ଡିଜାଇନର। ସେ ମିଥୁନ ଚକ୍ରବର୍ତ୍ତୀ, ଶ୍ରୀଦେବୀ, ଈଶା ଦେୱେଲଙ୍କ ପରି ପୁରୁଖା କଳାକାରଙ୍କ ପୋଷାକ ଡିଜାଇନ୍ କରିଛନ୍ତି।
ଅଗ୍ନିମିତ୍ର ପଲ କିଏ?
୧୯୭୪ ମସିହା ନଭେମ୍ବର ୨୫ ତାରିଖରେ ଅଗ୍ନିମିତ୍ରା ପାଲଙ୍କ ଜନ୍ମ। ତାଙ୍କ ବାପା ଡା. ଅଶୋକ ରାୟ ଆସାନସୋଲରେ ଜଣେ ଶିଶୁରୋଗ ବିଶେଷଜ୍ଞ। ସେ ଲୋରେଟୋ କନଭେଣ୍ଟ ଓ ଆସାନସୋଲ ଗର୍ଲ୍ସ କଲେଜରୁ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ। ପରେ ବନବାରୀଲାଲ ଭାଲୋଟିଆ କଲେଜରୁ ଉଦ୍ଭିଦ ବିଜ୍ଞାନ(ସମ୍ମାନ)ରେ ସ୍ନାତକ ଡିଗ୍ରୀ ସମାପ୍ତ କରିଥିଲେ। ତାଙ୍କର ବିବାହ ବ୍ୟବସାୟୀ ପାର୍ଥ ପାଲଙ୍କ ସହ ହୋଇଛି।
ଫ୍ୟାଶନରେ କ୍ୟାରିୟର
ଅଗ୍ନିମିତ୍ରା ପାଲ ଜଣେ ଫ୍ୟାଶନ ଡିଜାଇନର ଭାବେ ବେଶ ପରିଚିତ ଅଛନ୍ତି। ‘କୋଇ ମେରା ଦିଲ ସେ ପୁଛେ’ ଓ ‘ଭାୟା ଦାର୍ଜିଲିଂ’ ଭଳି ଅନେକ ବଲିଉଡ ଫିଲ୍ମ ପାଇଁ ପୋଷାକ ଡିଜାଇନ କରିଛନ୍ତି। ସେ ମିଥୁନ ଚକ୍ରବର୍ତ୍ତୀ, ଶ୍ରୀଦେବୀ, ଈଶା ଦେୱେଲ, ସୋନଲ ରାୱତ, କେକେ ମେନନ, ସୋନାଲୀ କୁଲକର୍ଣ୍ଣି, ବିନୟ ପାଠକ ଓ ପରବୀନ ଡାବାସଙ୍କ ପାଇଁ ପୋଷାକ ଡିଜାଇନ କରିଛନ୍ତି। ସେ ଭାରତର ଅନେକ ସହରରେ ନିଜର ଫ୍ୟାଶନ ଲେବଲ “ଇଙ୍ଗା” ଆରମ୍ଭ କରିଥିଲେ। ପୂର୍ବତନ ଆମେରିକୀୟ ସେକ୍ରେଟାରୀ ଅଫ ଷ୍ଟେଟ ହିଲାରୀ କ୍ଲିଣ୍ଟନଙ୍କୁ ପାଲଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଶାଲ ଓ କମ୍ବଳ ଉପହାରରେ ଦିଆଯାଇଥିଲା।
ବିଜେପିରେ ମିଶିଲେ
ଅଗ୍ନିମିତ୍ରା ପାଲ ୨୦୧୯ ମସିହା ମାର୍ଚ୍ଚ ୨୩ ତାରିଖରେ ବିଜେପିରେ ଯୋଗଦେଇଥିଲେ। ୨୦୨୦ରେ ସେ ଲକେଟ ଚାଟାର୍ଜୀଙ୍କ ସ୍ଥାନରେ ପଶ୍ଚିମବଙ୍ଗର ବିଜେପି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ହୋଇଥିଲେ। ତାପରେ ସେ ରାଜ୍ୟର ୨୩ଟି ଜିଲ୍ଲାରେ ମହିଳାମାନଙ୍କ ପାଇଁ “ଉମା” ନାମରେ ସେଲଫ-ଡିଫେନ୍ସ ଟ୍ରେନିଂ ୱର୍କଶପ୍ ଆୟୋଜନ କରିଥିଲେ।
୨୦୨୧ ମସିହା ଡିସେମ୍ବର ୨୨ ତାରିଖରେ ଅଗ୍ନିମିତ୍ର ପଲଙ୍କୁ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ମହାସଚିବ କରାଯାଇଥିଲା। ତାଙ୍କ ସ୍ଥାନରେ ତନୁଜା ଚକ୍ରବର୍ତ୍ତୀଙ୍କୁ ବିଜେପି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା କରାଗଲା। ସେ ୨୦୨୧ ବିଧାନସଭା ନିର୍ବାଚନରେ ଆସାନସୋଲ ଦକ୍ଷିଣ ବିଧାନସଭାରୁ ଟିଏମସିର ସାୟୋନୀ ଘୋଷଙ୍କୁ ହରାଇଥିଲେ।
ଅଗ୍ନିମିତ୍ରା ପାଲ ୨୦୨୪ର ଭାରତୀୟ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ମେଦିନୀପୁର ଆସନରୁ ନିର୍ବାଚନ ଲଢିଥିଲେ। କିନ୍ତୁ ଜୁନ ମାଲିୟାଙ୍କଠାରୁ ହାରି ଯାଇଥିଲେ। ଏଥର ପୁଣି ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏବେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି।

5 days ago
3