ଶ୍ରୀମନ୍ଦିରକୁ ପୁଲିସ ଓ ସେବାୟତ ମୋବାଇଲ ନେଇପାରିବେ ନାହିଁ

15 hours ago 1
.

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ସବ୍‌-କମିଟିର ପ୍ରଥମ ବୈଠକ ମଙ୍ଗଳବାର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁରକ୍ଷା ସବ୍‌-କମିଟି ଅଧ୍ୟକ୍ଷ ଡ. ଗିରୀଶ ଚନ୍ଦ୍ର ମୁର୍ମୁ ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅଯୋଧ୍ୟା ରାମ ମନ୍ଦିର ଓ ତିରୁପତି ମନ୍ଦିର ସୁରକ୍ଷା ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଅବଲମ୍ବନ କରିବାକୁ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ୪ଭାଗରେ ଭାଗ କରାଯାଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ପ୍ରଥମେ ଭିତ୍ତିଭୂମି, ଦ୍ବିତୀୟରେ ସରଞ୍ଜାମ, ତୃତୀୟରେ ଭିଡ଼ ନିୟନ୍ତ୍ରଣ ଏବଂ ଚତୁର୍ଥରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ଆଲୋଚନା କରାଯାଇଛି। ଏଣିକି ଶ୍ରୀମନ୍ଦିରକୁ ମୋବାଇଲ ନେବା ସମସ୍ତଙ୍କ ପାଇଁ ବାରଣ କରାଯାଇଛି। ଶ୍ରୀମନ୍ଦିରକୁ ପୁଲିସ ଓ ସେବାୟତ ମୋବାଇଲ ନେଇପାରିବେ ନାହିଁ। ଆଗାମୀ ଦିନରେ ଶ୍ରୀମନ୍ଦିର ଭିତରେ ଯୋଗାଯୋଗ ପାଇଁ ୱାକିଟକିର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ସୁରକ୍ଷା ସବ୍‌-କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଆଲୋଚନା କାଳରେ ଶ୍ରୀମନ୍ଦିର ଭିତର, ବାହାର ଏବଂ ସହର ଭିତରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆ‌େ‌ଲାଚନା ହୋଇଛି।

ସୁରକ୍ଷା ବ୍ୟବସ୍ଥା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ଅତ୍ୟାଧୁନିକ ସରଞ୍ଜାମ, ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଡ୍ରିଲ, ପ୍ରୋଟୋକଲ ସର୍ଭେଲାନ୍ସ କ୍ଷମତା ବଢ଼ାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିସହିତ ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀ ତଥା ଶ୍ରଦ୍ଧାଳୁଙ୍କୁ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯିବ। ପୂର୍ବରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବକୁ ରେଡ ଜୋନ୍‌ ଘୋଷଣା ହୋଇଥିବାବେଳେ ନୋ ଫ୍ଳାଇଂ ଜୋନ୍‌ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯିବ ଓ ଅନ୍ୟ କିଛି ପାଇଁ ସରକାରଙ୍କ ସହାୟତା ନିଆଯିବ। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଏବଂ ସୁଦୃଢ଼ କରିବା ପାଇଁ ଯାହା କିଛି ଆବଶ୍ୟକ ପଦ‌େ‌କ୍ଷପ ଗ୍ରହଣ କରାଯାଉଛି। ଦେଶର ଅନ୍ୟ ବଡ଼ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରାଯାଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସଠିକ୍‌ ନିଷ୍ପତ୍ତି ନିଆଯିବ ବୋଲି ସବ୍‌-କମିଟି ଅଧ୍ୟକ୍ଷ ଡ. ମୁର୍ମୁ ସୂଚନା ଦେଇଛନ୍ତି।

Read Entire Article