ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ) : ଛତ୍ରପୁର ବ୍ଲକ ବିପୁଳିଙ୍ଗି ସେବା ସମବାୟ ସମିତିରେ ଚଳିତବର୍ଷ ଧାନକିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ସମବାୟ ସମିତି ସମ୍ପାଦକ ନିଜ ପରିବାର ନାମରେ ଟୋକନ ଆଣି ନିଜ ଧାନ ବିକ୍ରି କରିବା ସହିତ ଚାଷୀଙ୍କ ଧାନ କିଣି ନ ଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏପରିକି ଏହାକୁ ନେଇ ଚାଷୀମାନେ ସୋସାଇଟିରେ ତାଲା ପକାଇଥିଲେ। ପରେ ଘଟଣା ନେଇ ତଦନ୍ତ ପାଇଁ ଦାବି ଜୋର ଧରିଥିଲା । ପୂର୍ବରୁ ୨ ଥର ଏହାର ତଦନ୍ତ ହୋଇଥିବା ବେଳେ ବୁଧବାର ପୁଣି ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ନୃସିଂହ ଚରଣ ପଣ୍ଡା, ଏଆର୍ସିଏସ୍ ଯୋଗମାୟା ସାବତ ବିପୁଳିଙ୍ଗିିରେ ପହଞ୍ଚି ତଦନ୍ତ କରିଛନ୍ତି। ସୋସାଇଟିରେ କେତେଜଣ ଚାଷୀଙ୍କ ଟୋକନ ଆସିଥିଲା, କେତେଜଣଙ୍କ ଧାନକ୍ରୟ କରାଯାଇଛି, କେତେ ଚାଷୀ ବାହାରେ ଧାନ ବିକ୍ରି କରିଛନ୍ତି ତାହାର ତଦନ୍ତ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିପୁଳିଙ୍ଗି ସୋସାଇଟିରେ ପୋଲିସ ମୁତୟନ କରାଯାଇଛି l ସୋସାଇଟିରେ ଗଠନ କରାଯାଇଥିବା କମିଟି ବିଷୟରେ ଚାଷୀ ଅବଗତ ନଥିବାରୁ ଉକ୍ତ କମିଟି ଭାଙ୍ଗିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ତଦନ୍ତ ରିପୋର୍ଟ ଛତ୍ରପୁର ଉପଜିଲାପାଳଙ୍କୁ ପ୍ରଦାନ କରାଯିବ। ଯଦି ଏଥିରେ କେହି ସମ୍ପୃକ୍ତ ଥାନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଆରସିଏସ ସାବତ କହିଛନ୍ତି। ଅନ୍ୟପଟେ ତଦନ୍ତରେ ଅଞ୍ଚଳର ଚାଷୀ ମାନେ ସନ୍ତୁଷ୍ଟ ନ ଥିବା କହିଛନ୍ତି।

1 year ago
13