ସମ୍ପାଦକୀୟ: ମଧ୍ୟପ୍ରାଚ୍ୟର ଚୋରାବାଲି

14 hours ago 1
.

ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ସଂଘର୍ଷରେ ହୋଇଥିବା ଅସ୍ତ୍ରବିରତି ଅନ୍ତର୍ଜାତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିଛି। ଇସ୍ରାଏଲ୍‌ର ନେସେଟ୍‌ରେ ଟ୍ରମ୍ପଙ୍କ ଉଦ୍‌ବୋଧନ ତାଙ୍କୁ ଜଣେ ଶାନ୍ତିକର୍ତ୍ତା ଭାବରେ ଉପସ୍ଥାପନ କରିଛି। ଏହି “ଶାନ୍ତି ପ୍ରକ୍ରିୟା” କେବଳ ମଧ୍ୟପ୍ରାଚ୍ୟ ପାଇଁ ନୁହେଁ, ବରଂ ଟ୍ରମ୍ପଙ୍କ ନିଜ ରାଜନୈତିକ ଭବିଷ୍ୟତ ପାଇଁ କିପରି ଲାଭଦାୟକ ହୋଇପାରେ, ତାହା ହିଁ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।  ଡୋନାଲ୍ଡ ଟ୍ରମ୍ପ ତାଙ୍କର “ଆମେରିକା ଫାଷ୍ଟ” ନୀତି ଏବଂ ଆକ୍ରମଣାତ୍ମକ କୂଟନୈତିକ ଶୈଳୀ ପାଇଁ ଜଣାଶୁଣା । ତେଣୁ, ମଧ୍ୟପ୍ରାଚ୍ୟରେ ଦୀର୍ଘ ଦିନର ଯୁଦ୍ଧକୁ ଶେଷ କରିବାରେ ସଫଳତା ତାଙ୍କର ଭାବମୂର୍ତ୍ତିକୁ ଜଣେ  ଶାନ୍ତିଦୂତ  ଭାବରେ ପରିବର୍ତ୍ତିତ କରିପାରେ। ଆଠଟି ଯୁଦ୍ଧ ବନ୍ଦ କରିବାର ତାଙ୍କର ଦାବି ତାଙ୍କୁ ଏକ ଯୁଦ୍ଧବିରୋଧୀ ନେତା ଭାବରେ ଚିତ୍ରିତ କରିବାରେ ସାହାଯ୍ୟ କରିବ, ଯାହା ତାଙ୍କର ପୂର୍ବ ଛବି ଠାରୁ ଭିନ୍ନ।  ଆମେରିକା ବର୍ତ୍ତମାନ  ‘ସଟ୍ ଡାଉନ’ ଭଳି ଅନେକ ସମସ୍ୟା ଦେଇ ଗତି କରୁଛି ଓ ନିଜ ଦେଶରେ ଟ୍ରମ୍ପଙ୍କ  ଲୋକପ୍ରିୟତା ହ୍ରାସ ପାଉଛି। ଏଭଳି ସମୟରେ ଟ୍ରମ୍ପଙ୍କର ଏହି “ଐତିହାସିକ ସଫଳତା” ତାଙ୍କର ରାଜନୈତିକ ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବ ଏବଂ ତାଙ୍କର ଭୋଟ୍ ଆଧାରକୁ ନିଶ୍ଚିତ ବଢ଼ାଇବ।

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଇଭାଞ୍ଜେଲିକାଲ୍ ଖ୍ରୀଷ୍ଟିଆନ ଏବଂ ଇସ୍ରାଏଲ୍ ସମର୍ଥକ ଗୋଷ୍ଠୀ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୋଟ୍ ଆଧାର।   ସୂଚନାଯୋଗ୍ୟ ଇଭାଞ୍ଜେଲିକାଲ୍ ଖ୍ରୀଷ୍ଟିଆନମାନେ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ ଧର୍ମର ଏକ ବୃହତ୍‌ ଶାଖା। ଏମାନେ ଆମେରିକାରେ ଏକ ବଡ଼   ପ୍ରଭାବଶାଳୀ ଭୋଟ୍ ଗୋଷ୍ଠୀ। ସେମାନେ ପାରମ୍ପରିକ ଭାବରେ ରିପବ୍ଲିକାନ୍ ପାର୍ଟିକୁ ସମର୍ଥନ କରନ୍ତି ଏବଂ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ସେମାନଙ୍କର ପ୍ରବଳ ସମର୍ଥନ ପାଇଥିଲେ।  ଅନେକ ଇଭାଞ୍ଜେଲିକାଲ୍ ବିଶ୍ୱାସ କରନ୍ତି ଯେ ଇସ୍ରାଏଲ୍‌କୁ ସମର୍ଥନ କରିବା ବାଇବେଲୀୟ ଭବିଷ୍ୟତବାଣୀର ଏକ ଅଂଶ ।

ସେହିପରି ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଇସ୍ରାଏଲ୍ ଏବଂ କିଛି ଆରବ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବାରେ ସଫଳ ହୋଇଥିଲେ।  ବର୍ତ୍ତମାନର ଗାଜା ଚୁକ୍ତି ମଧ୍ୟ ତାଙ୍କୁ ସେହିଭଳି ସଫଳତା ଦୋହରାଇବାରେ ସାହାଯ୍ୟ କରିବ।

ଅନ୍ୟପକ୍ଷରେ ଅସ୍ତ୍ରବିରତି ଯୋଗୁଁ ତେଲ ଦର ହ୍ରାସ ପାଇବ ଏବଂ ଗାଜାର ପୁନର୍ଗଠନ ପାଇଁ ଆର୍ଥିକ ସହାୟତା ଆମେରିକୀୟ କମ୍ପାନୀମାନଙ୍କ ପାଇଁ ନୂତନ ବ୍ୟାବସାୟିକ ସୁଯୋଗ ସୃଷ୍ଟି କରିବ। ଏହା ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ନୀତି ସହିତ ମଧ୍ୟ ଖାପ ଖାଉଛି । ତେଣୁ ବର୍ତ୍ତମାନର ଅସ୍ତ୍ର ବିରତି ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରଭାବକୁ ପୁନଃ ପ୍ରତିଷ୍ଠା କରିବ ଏବଂ ଇରାନକୁ ଏକଘରିଆ କରି କାତାର, ଇଜିପ୍ଟ ଏବଂ ତୁର୍କୀ ସହିତ ଆମେରିକାର ସମ୍ପର୍କକୁ ମଜଭୁତ କରିବ ।

ତଥାପି, ଏହି ଶାନ୍ତି ପ୍ରକ୍ରିୟା ପାଲେଷ୍ଟିନୀୟମାନଙ୍କର ମୂଳ ଦାବି ଯଥା ବସତି, ଅବରୋଧ ଏବଂ ଦୁଇ-ରାଷ୍ଟ୍ର ସମାଧାନ ଉପରେ ନିରବ ରହିଛି, ଯାହା ଭବିଷ୍ୟତରେ ବିବାଦର ମଞ୍ଜି ବୁଣିପାରେ । ଗାଜାରୁ ଇସ୍ରାଏଲ ସୈନ୍ୟଙ୍କ ଆଂଶିକ ପ୍ରତ୍ୟାହାର ଏବଂ ଟ୍ରମ୍ପଙ୍କ ନିଜ ସ୍ୱୀକାରୋକ୍ତି ପରେ ଯେ ନେତାନ୍ୟାହୁ ପୁଣି ଅାକ୍ରମଣ କରିବେ ନାହିଁ ସେ ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ ।

ତେବେ  ଟ୍ରମ୍ପଙ୍କ ଏହି ଶାନ୍ତି ପ୍ରକ୍ରିୟା ଆମେରିକୀୟ ସାମ୍ରାଜ୍ୟବାଦ, ଟ୍ରମ୍ପଙ୍କ ସମର୍ଥକ ଗୋଷ୍ଠୀଙ୍କୁ ଖୁସିକରିବା ଏବଂ ତାଙ୍କର ବ୍ୟକ୍ତିଗତ ପ୍ରଶଂସା ପାଇଁ  ଏକ ଚମତ୍କାର ସାଧନ ପ୍ରତୀୟମାନ ହୁଏ। ଏହା ମଧ୍ୟପ୍ରାଚ୍ୟରେ ଆମେରିକୀୟ ପ୍ରାଧାନ୍ୟକୁ ପୁନଃପ୍ରତିଷ୍ଠା କରିବା ଏବଂ ଟ୍ରମ୍ପଙ୍କ ନିଜ ରାଜନୈତିକ କ୍ୟାରିୟରକୁ ପୁନର୍ଜୀବିତ କରିବା ପାଇଁ ଉଦ୍ଦିଷ୍ଟ ଏକ ଚତୁର ରଣନୀତି।

Read Entire Article