.
Air Cooler Mistakes: ଖରାଦିନ ଆରମ୍ଭ ହେବା ମାତ୍ରେ ପ୍ରାୟ ପ୍ରତ୍ୟେକ ଘରେ କୁଲର୍ର ବ୍ୟବହାର ବଢ଼ିଯାଏ। କମ୍ ଖର୍ଚ୍ଚରେ ଏହା ଭଲ ଥଣ୍ଡା ପବନ ଦେଇଥାଏ ସତ, କିନ୍ତୁ ସାମାନ୍ୟ ଅସାବଧାନତା ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ। ପୁରୁଣା ତାର, ପାଣି ଲିକେଜ୍ କିମ୍ବା ଭୁଲ୍ ବ୍ୟବହାର ଯୋଗୁଁ କୁଲର୍ରୁ କରେଣ୍ଟ ମାରିବାର ସମ୍ଭାବନା ଥାଏ, ଯାହା ପ୍ରାଣଘାତୀ ହୋଇପାରେ। ଯଦି ଆପଣ ଘରେ କୁଲର୍ ଚଲାଉଛନ୍ତି, ତେବେ ନିମ୍ନଲିଖିତ ଦିଗ ପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ।
ୱାୟରିଂ ଏବଂ ପ୍ଲଗ୍ ଯାଞ୍ଚ କରନ୍ତୁ
- ଅନେକ ଲୋକ ବର୍ଷ ବର୍ଷ ଧରି ପୁରୁଣା ତାର ଓ ପ୍ଲଗ୍ ବ୍ୟବହାର କରନ୍ତି। ଅଧିକ ସମୟ ଧରି କୁଲର୍ ଚାଲାଇବା ଦ୍ୱାରା ତାର ଗରମ ହୋଇ କରେଣ୍ଟ ଲିକେଜ୍ ହେବାର ଭୟ ଥାଏ।
- ଯଦି ତାର କେଉଁଠି କଟିଯାଇଛି କିମ୍ବା ପୋଡ଼ି ଯାଇଛି, ତେବେ ତୁରନ୍ତ ବଦଳାନ୍ତୁ।
- ଢିଲା ପ୍ଲଗ୍ ବ୍ୟବହାର କରନ୍ତୁ ନାହିଁ ଏବଂ ସବୁବେଳେ ସିଧାସଳଖ ସକେଟ୍ରେ କୁଲର୍ ଲଗାନ୍ତୁ।
- ବାରମ୍ବାର ସ୍ପାର୍କିଂ ହେଉଥିଲେ ଇଲେକ୍ଟ୍ରିସିଆନଙ୍କ ସହାୟତା ନିଅନ୍ତୁ।
ପାଣି ଲିକେଜ୍କୁ ହେୟଜ୍ଞାନ କରନ୍ତୁ ନାହିଁ
- କୁଲର୍ରେ ପାଣି ଏବଂ ବିଜୁଳି ଦୁଇଟି ଯାକ ସାଙ୍ଗରେ ଥାଏ, ତେଣୁ ସାମାନ୍ୟ ଲିକେଜ୍ ମଧ୍ୟ ବିପଜ୍ଜନକ। ମୋଟର କିମ୍ବା ପମ୍ପ୍ ପାଖରେ ପାଣି ଜମା ହେଲେ କୁଲର୍ ବଡିରେ କରେଣ୍ଟ ଆସିଥାଏ।
- କୁଲର୍ ତଳେ ପାଣି ଜମୁଥିଲେ ତୁରନ୍ତ ମରାମତି କରନ୍ତୁ।
- ଓଦା ହାତରେ କୁଲର୍କୁ ଛୁଅନ୍ତୁ ନାହିଁ ଏବଂ ପିଲାମାନଙ୍କୁ ଏଥିରୁ ଦୂରେଇ ରଖନ୍ତୁ।
ଆର୍ଥିଂ ସଠିକ୍ ଅଛି କି ନାହିଁ?
- ଆର୍ଥିଂ ଠିକ୍ ନଥିବା କରେଣ୍ଟ ଲାଗିବାର ସବୁଠାରୁ ବଡ଼ କାରଣ। ଯଦି କୁଲର୍ ଛୁଇଁବା ସମୟରେ ସାମାନ୍ୟ ଝଟକା ଲାଗୁଛି, ତେବେ ସାବଧାନ ହୋଇଯାଆନ୍ତୁ।
- ସଠିକ୍ ଆର୍ଥିଂ ପାଇଁ ତିନି-ପିନ୍ (Three-pin) ପ୍ଲଗ୍ ବ୍ୟବହାର କରନ୍ତୁ।
- ଇଲେକ୍ଟ୍ରିସିଆନ୍ ଦ୍ୱାରା ଘରର ବିଜୁଳି ବୋର୍ଡ ଯାଞ୍ଚ କରନ୍ତୁ।
ଅନ୍ୟାନ୍ୟ ଜରୁରୀ ସତର୍କତା:
- କୁଲର୍କୁ ସବୁବେଳେ ଶୁଖିଲା ସ୍ଥାନରେ ରଖନ୍ତୁ।
- ସଫା କରିବା ସମୟରେ ପ୍ଲଗ୍ ବାହାର କରିବାକୁ ଭୁଲନ୍ତୁ ନାହିଁ।
- ଲୋକାଲ୍ କିମ୍ବା ଖରାପ କ୍ୱାଲିଟିର ପାର୍ଟସ୍ ଲଗାନ୍ତୁ ନାହିଁ।
- ନିଜର ଏବଂ ପରିବାରର ସୁରକ୍ଷା ପାଇଁ ଏହି ସବୁ ଟିପ୍ସକୁ ଅନୁସରଣ କରନ୍ତୁ ଏବଂ କୁଲର୍ର ମୋଟର ଓ ୱାୟରିଂର ସମୟ ଅନୁସାରେ ଯାଞ୍ଚ କରନ୍ତୁ।

1 day ago
2